Categories: ଅନୁଗୋଳ

ଝିଅ ହତ୍ୟାକାରୀ ମା’ଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ଜିଲା ନାଲ୍‌କୋ ଥାନା ବାଙ୍କିହଟିଂ ଅଞ୍ଚଳରେ ସାଢେ ୪ ବର୍ଷ ତଳେ ଜଣେ ନାବାଳିକା ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ଅନୁଗୋଳ ଅତିରିକ୍ତ ଜିଲା ଦୌରାଜଜ୍‌ ପ୍ରଭାକର ଗଣ୍ଠିଆ ଏହି ମାମଲାର ଶୁଣାଣି କରି ମୃତା ନାବାଳିକାଙ୍କ ମା’ ଦମୟନ୍ତୀ ସୋରେନ୍‌(୩୨)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟପକ୍ଷରେ ମାମଲାର ଅନ୍ୟତମ ଅଭିଯୁକ୍ତ ଭାଗବତ ମୁର୍ମୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ବାଙ୍କିହଟିଂରେ ରହୁଥିବା ଭାଗବତ ଓ ଦମୟନ୍ତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହା ଜାଣିବା ପରେ ଦମୟନ୍ତୀଙ୍କ ସ୍ବାମୀ ତାଙ୍କୁ ଛାଡି ମୟୂରଭଞ୍ଜ ପଳାଇଥିଲେ। ଦମୟନ୍ତୀ ତାଙ୍କ ୮ ବର୍ଷର ଝିଅକୁ ଧରି ବାଙ୍କିହଟିଂରେ ରହୁଥିଲେ। ତାଙ୍କ ରାସ୍ତାରେ ବାଧା ସାଜୁଥିବା ଭାବି ଦମୟନ୍ତୀ ଝିଅକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୦୧୫ ମାର୍ଚ୍ଚ ୧୦ ତାରିଖ ରାତିରେ ଦମୟନ୍ତୀ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରଦିନ ସକାଳେ ଘରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା। ଏ ସମ୍ପର୍କରେ ହଟିଂର ମୁଖିଆ ବାଢ଼ା ମୁର୍ମୁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଦମୟନ୍ତୀ ଓ ଭାଗବତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୨୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଦମୟନ୍ତୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ଶୁଣାଇବା ସହ ୧୦ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ସ୍ଥଳେ ଅତିରିକ୍ତ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ୟପକ୍ଷରେ ପ୍ରମାଣ ଅଭାବରୁ ଭାଗବତଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।