ଝିରିପାଣିରେ କୁକୁର ମଡ଼କ

ବାଲିଗୁଡ଼ା,୧୩ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ଗତ ସପ୍ତାହେ ହେଲା କୁକୁର ମଡ଼କ ଦେଖିବାକୁ ମିଳିଛି। ଏଭଳି କୁକୁର ମଡ଼କ ନେଇ ପଞ୍ଚାୟତବାସୀଙ୍କ ମନରେ ଭୟ ବାତାବରଣ ସୃଷ୍ଟି ହେଉଛି। ମଣିଷମାନଙ୍କ ବିଶ୍ୱାସଯୋଗ୍ୟ ପ୍ରାଣୀ ଭାବେ ପ୍ରତ୍ୟେକ ଗ୍ରାମରେ ଲୋକେ କୁକୁର ରଖି ଖାଇବା ପିଇବାକୁ ଦେଇଥାନ୍ତି। କୌଣସି ବ୍ୟକ୍ତିଙ୍କ ନିଜ ପୋଷା କୁକୁର ହୋଇ ନ ଥିଲେ ମଧ୍ୟ ଗାଁ କୁକୁରକୁ ଖାଇବାକୁ ଦେଇଥାନ୍ତି। ଗାଁରେ କୌଣସି ଅଜଣା ଲୋକ କିମ୍ବା କୌଣସି ଜଙ୍ଗଲ ପଶୁପକ୍ଷୀ କିମ୍ବା ସରୀସୃପ ପଶିଆସିଲେ ସେମାନେ ଭୁକିଥାନ୍ତି। କୁକୁର ଭୁକିବା ଦେଖି ଲୋକେ ମଧ୍ୟ ଜାଗ୍ରତ ହୋଇଯାଆନ୍ତି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଝିରିପାଣି ପଞ୍ଚାୟତର ଦେଶୁଘାଟିରେ ୪ଟା, ବରଗୁଡ଼ାରେ ୫ଟା, ଝିରିପାଣିରେ ୮ଟା, ଚଜାଙ୍ଗୀରେ ୫ଟା,ମେଣ୍ଡାବାରୁରେ ୩ଟା, ପୁରୁଣା ଝିରିପାଣିରେ ୪ଟା, ବିଲେଇ ସୂର୍ଡାରେ ୩ଟା, କର୍ଜଣ୍ଡିରେ ୫ଟା, ଦୁପଟ୍ଟାରେ ୩ ଟା,ଲଲକୁଟିରେ ୩ଟା, ବରଗାଁରେ ୮ ଟା ଏଭଳି ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହସ୍ତଗତ ହୋଇଛି। ଏକ ସପ୍ତାହ ମଧ୍ୟରେ ଏତେଗୁଡିଏ କୁକୁର ମୃତ୍ୟୁ ହେବାର କାରଣ ବି ଜଣାପଡ଼ିନାହିଁ। ଜିଲା ପ୍ରାଣୀ ଚିକିତ୍ସକ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଅଞ୍ଚଳଗୁଡ଼ିକୁ ଏକ ଟିମ୍‌ ପଠାଇ କୁକୁର ମଡ଼କ ରୋକିବା ପାଇଁ ପଞ୍ଚାୟତବାସୀ ନିବେଦନ କରିଛନ୍ତି।

Share