Categories: ଖେଳ

ଝୁହାଇ, ଚାଇନା ଓପନ୍‌ ଖେଳିବେ ମୁରେ

ଲଣ୍ଡନ, ୧୨ା୮ (ଏଏଫ୍‌ପି)-ଆସନ୍ତା ମାସରେ ଝୁହାଇ ଚାମ୍ପିୟନଶିପ୍‌ ଏବଂ ଚାଇନା ଓପନ୍‌ରେ ଖେଳିବେ ବ୍ରିଟିଶ ଟେନିସ ଖେଳାଳି ଆଣ୍ଡି ମୁରେ। ୭ ମାସ ପୂର୍ବେ ବିଶ୍ୱର ଏହି ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଅଷ୍ଟ୍ରେଲିଆରେ କହିଥିଲେ ଇଞ୍ଜୁରି କାରଣରୁ ତାଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି। ମାତ୍ର ନିତମ୍ବରେ ସଫଳ ଅସ୍ତ୍ରୋପଚାର ପରେ ସେ ସିଙ୍ଗଲ୍ସକୁ ପ୍ରତ୍ୟାବର୍ତ୍ତନ ଲାଗି ସ୍ଥିର କରିଛନ୍ତି। ଇତିମଧ୍ୟରେ ସେ ଡବଲ୍ସ ମ୍ୟାଚ ଖେଳି ନିଜର ଫିଟ୍‌ନେସ ପରୀକ୍ଷା କରି ନେଇଛନ୍ତି। ଆସନ୍ତା ସପ୍ତାହରେ ସିନ୍‌ସିନାଟି ମାଷ୍ଟର୍ସ ତାଙ୍କର ପ୍ରଥମ ସିଙ୍ଗଲ୍ସ ଟୁର୍ନାମେଣ୍ଟ ହେବ। ଦୁଇ ଥର ଅଲିମ୍ପିକ ଚାମ୍ପିୟନ ଏସୀୟ ଅଞ୍ଚଳ ଏଟିପି ଟୁର୍‌ରେ ଖେଳିବା ଲାଗି ସ୍ଥିର କରିଛନ୍ତି। ସେପ୍ଟେମ୍ବର ୨୩ରେ ଝୁହାଇ ଚାମ୍ପିୟନଶିପ୍‌ ଆରମ୍ଭ ହେବ। ଏଥିରେ ଖେଳିବା ଲାଗି ତାଙ୍କର ଆଗ୍ରହ ରହିଥିବା ସେ କହିଛନ୍ତି। ସିନ୍‌ସିନାଟିରେ ସେ ଯଦି ଭଲ ପ୍ରଦର୍ଶନ କରନ୍ତି ତେବେ ସେ ଅଗଷ୍ଟ ୨୬ରୁ ହେବାକୁଥିବା ୟୁଏସ୍‌ ଓପନରେ ହୁଏତ ଖେଳିବା କଥା ଚିନ୍ତା କରିପାରନ୍ତି।

Share