Categories: ଜାତୀୟ

ଝେଲମ୍‌ରେ ବ୍ରିଜ୍‌ ଲାଗି ସହଯୋଗ କଲେ ମୁସଲ୍‌ମାନ: ଭଙ୍ଗାଯିବ ୪୦ ବର୍ଷର ମସ୍‌ଜିଦ

ଶ୍ରୀନଗର୍‌, ୨୩ା୧୨(ପି.ଟି.): ଜମ୍ମୁ-କଶ୍ମୀରର ଝେଲମ୍‌ ନଦୀ ଉପରେ ବ୍ରିଜ୍‌ ନିର୍ମାଣ ଶେଷକରିବା ଲାଗି ମୁସଲ୍‌ମାନ ସମ୍ପ୍ରଦାୟ ସହଯୋଗର ହାତ ବଢ଼ାଇଛି। ଦୀର୍ଘ ୪୦ ବର୍ଷର ମସ୍‌ଜିଦ ଭାଙ୍ଗିବା ସହ ବ୍ରିଜ୍‌ କାମ ସମ୍ପୂର୍ଣ୍ଣ କରିବା ଲାଗି ସେମାନେ ରାଜି ହୋଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପ୍ରକଳ୍ପ ୨୦୦୨ରୁ ଆରମ୍ଭ ହୋଇଥିବାବେଳେ ସେଠାରେ ଥିବା ମସ୍‌ଜିଦ ଓ କେତେକ ଘରୋଇ ଏବଂ ବାଣିଜି୍ୟକ କୋଠା ଏଥିରେ ସମସ୍ୟା ସୃଷ୍ଟି କରୁଥିଲା। ତେବେ ଶ୍ରୀନଗର ଜିଲା ବିକାଶ କମିଶନର ଶାହିଦ୍‌ ଇକ୍‌ବଲ ଚୌଧାରୀ ଓ ମସ୍‌ଜିଦ ଅବୁ ତୁରବର ପରିଚାଳନା କମିଟି ମଧ୍ୟରେ ଚୁକ୍ତି ହୋଇ ଭଙ୍ଗାକାର୍ଯ୍ୟ ଆରମ୍ଭ କରାଯାଇଛି। ଫଳରେ ଅସମ୍ପୂର୍ଣ୍ଣ ଥିବା ଝେଲମ୍‌ ନଦୀ ବ୍ରିଜ୍‌ କାମ ଖୁବ୍‌ଶୀଘ୍ର ଶେଷ ହେବାର ସମ୍ଭାବନା ଦେଖାଦେଇଛି। ପ୍ରକାଶଥାଉ କି, ୧୬୬ ମିଟରର ଦୁଇ ଲେନ୍‌ ବିଶିଷ୍ଟ ବ୍ରିଜ୍‌ ଲାଗି ଥିବା ସମସ୍ୟା ଦୂରକରିବା ଲାଗି ଏକାଧିକ ଥର ମସ୍‌ଜିଦ ପରିଚାଳନା କମିଟି ସହ ଆଲୋଚନା କରାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ବର୍ଷକ ମଧ୍ୟରେ ପୁନଃ ମସ୍‌ଜିଦ ନିର୍ମାଣ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି।

Share