ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍ ହେବାର ସ୍ବପ୍ନ ଉଙ୍କି ମାରୁଥିଲା। କିନ୍ତୁ ଅର୍ଥାଭାବ ତାଙ୍କ ସ୍ବପ୍ନ ମଝିରେ ଟାଣିଥିଲା ଲକ୍ଷ୍ମଣରେଖା। ଜୟଗଣେଶଙ୍କ ପିତା ଏକ ଚମଡ଼ା ଫ୍ୟାକ୍ଟ୍ରିରେ ସୁପର୍ଭାଇଜର୍ ରୂପେ ମାସିକ ୪୫ ଶହ ଟଙ୍କା ବେତନରେ ଚାକିରି କରୁଥିଲେ। ଏତିକି ଦରମାରେ ଘର ଚଳିବା ଏବଂ ପାଠପଢ଼ା ଖର୍ଚ୍ଚ ତୁଲାଇବା ବହୁତ କଷ୍ଟକର ଥିଲା। ଦଶମ ପରୀକ୍ଷା ପରେ ସେ ପଲିଟେକ୍ନିକ୍ କଲେଜରେ ନାମ ଲେଖାଇଲେ। ଭାବିନେଲେ ଏହାରି ମାଧ୍ୟମରେ ତାଙ୍କୁ ଖୁବଶୀଘ୍ର ଚାକିରି ଖଣ୍ଡେ ମିଳିଯିବ। ଏଥିର ଅର୍ଜିତ ଅର୍ଥରେ ସେ ନିଜ ପଢ଼ା ଖର୍ଚ୍ଚ ତୁଲାଇବା ସହ ପରିବାର ପୋଷିି ପାରିବେ। ଏମିତିରେ ଜୟଙ୍କ ଗଁାର ଅଧିକାଂଶ ପିଲା ଦଶମ ପରେ ଦୋକାନ, ଡ୍ରାଇଭିଙ୍ଗ୍, ଅଟୋ ରିକ୍ସା ଚଳାଇବା କିମ୍ବା କୁଲି କାମରେ ନିଯୁକ୍ତ ହେଉଥିଲେ। କିନ୍ତୁ ଜୟଙ୍କ ସ୍ବପ୍ନ ଥିଲା ତାଙ୍କ ଜୀବନର ସବୁକିଛି। ପାଠପଢ଼ା ପ୍ରତି ସେ କଦାପି ଅବହେଳା କରୁ ନ ଥିଲେ। ପଢ଼ା ଖର୍ଚ୍ଚ ତୁଲାଇବାକୁ ସେ ୱେଟର୍ ଭାବେ ମଧ୍ୟ କାମ କରିବାକୁ ପଛାଇ ନ ଥିଲେ। ଏହି ଆଗ୍ରହକୁ ଦେଖି ତାଙ୍କ ପିତା ଯଥାସାଧ୍ୟ ସାହାଯ୍ୟ କଲେ। କିନ୍ତୁ ଛଅ ଥର ୟୁପିଏସ୍ସି ପରୀକ୍ଷା ଦେଇ ବିଫଳ ହେବା ପରେ ସପ୍ତମ ଥର ବେଳକୁ ପରିଶ୍ରମର ଫଳ ପାଇଲେ। ତାଙ୍କ ସଫଳତା ଆଜି ଗଁାର ଯୁବପିଢ଼ିଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇପାରିଛି।