ଟଙ୍କା ଆତ୍ମସାତ ଅଭିଯୋଗ: ଜେଲ ଗଲେ ଫାଇନାନ୍ସ କମ୍ପାନୀ ନିର୍ବାହୀ ଅଧିକାରୀ

ନିମାପଡ଼ା,୨୧।୧୧(ଡି.ଏନ୍‌.ଏ.): ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ନିମାପଡ଼ା ଶାଖାର ନିର୍ବାହୀ ଅଧିକାରୀଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସ୍ମୃତି ରଞ୍ଜନ ବଳିୟାର ସିଂ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା କମ୍ପାନୀର ନିମାପଡ଼ା ଶାଖା ମୁଖ୍ୟ ପରିଚାଳକ କେନ୍ଦ୍ରାପଡ଼ା ଅଞ୍ଚଳର ନିରୋଦ ନାଥ ଶର୍ମା ଗତ ୪ମାସ ହେବ ଫେରାର ରହିଛନ୍ତି ବୋଲି କମ୍ପାନୀର ଭୁବନେଶ୍ୱରସ୍ଥିତ ଡିଭିଜନ ଅଫିସର ଡିଭିଜିନାଲ ମ୍ୟାନେଜର ରାମକ୍ରିଷ୍ଣମ ରାଜୁଙ୍କଠାରୁ ଜଣାପଡିଛି। ସୂଚନା ଅନୁଯାୟୀ, କମ୍ପାନୀ ପକ୍ଷରୁ ଲଗାଣକାରୀ ସଂସ୍ଥାଙ୍କଠାରୁ ଉଭୟ ସ୍ମୃତିରଞ୍ଜନ ଓ ନିରୋଦ ଋଣ ଟଙ୍କା ଆଦାୟ କରୁଥିଲେ। ତେବେ ଦୁହେଁ ଆଦାୟ କରିଥିବା ୫ଲକ୍ଷ ୩୮ହଜାର ୭୮୪ଟଙ୍କାକୁ ଶାଖା କାର୍ଯ୍ୟାଳୟରେ ଜମା ନ କରି ଆତ୍ମସାତ କରି ୪ମାସ ହେବ କାର୍ଯ୍ୟାଳୟ ଛାଡି ଫେରାର ହୋଇଯାଇଥିଲେ। ଏ ନେଇ ରାମକ୍ରିଷ୍ଣମ ଗତ ଜୁଲାଇ ୬ତାରିଖରେ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ସମ୍ପର୍କରେ ଏକ ମାମଲା (ନଂ.୧୭୧/୧୯)ରୁଜୁକରି ତଦନ୍ତ ଚଳାଇଥିଲା। ସ୍ମୃତିରଞ୍ଜନ ଡୁମଡୁମା ଅଞ୍ଚଳରେ ଥିବା ଖବରପାଇ ନିମାପଡ଼ା ପୋଲିସ ବୁଧବାର ତାଙ୍କୁ ଧରିଥିଲା।

Share