ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ମହିଳା କନଷ୍ଟେବଳ ଲକ୍ଷ୍ମୀପ୍ରିୟା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଶନିବାର ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଭର୍ତ୍ତି ପର୍ସ ପାଇ ଜଣେ ଆରପିଏଫ କନ୍‌ଷ୍ଟେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି। ପର୍ସ ହଜାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାୟଗଡା ଜିଲା ଟିକିରିର ଅଶୋକ କୁମାର ବାଉରୀ। ନିଜ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଲାଗି ଟଙ୍କା ନେଇ ଭୁବନେଶ୍ୱର ଡାକ୍ତରଖାନାକୁ ଆସିଥିବା ବେଳେ ପ୍ଲାଟ ଫର୍ମ ନଂ.୧ ରେ ବ୍ୟସ୍ତତା ଭିତରେ ପର୍ସଟିକୁ ହଜାଇ ଦେଇଥିଲେ। ପର୍ସ ହଜିବା ଜାଣିବା ଆଗରୁ ବ୍ୟକ୍ତି ଜଣକ ଡାକ୍ତରଖାନାରେ ପହଞ୍ଚତ୍ ସାରିଥିଲେ। ରେଳ ଷ୍ଟେଶନରେ ପର୍ସ ହଜିଥିବାରୁ ନ ମିଳିବା ଆଶାରେ ପୋଲିସରେ ଖବର ବି ଦେଇ ନ ଥିଲେ। ସୌଭାଗ୍ୟବଶତଃ ଆରପିଏଫର ସଚ୍ଚୋଟ ମହିଳା କନ୍‌ଷ୍ଟେବଳ ଲକ୍ଷ୍ମୀପ୍ରିୟା ନାୟକ ପର୍ସଟିକୁ ପାଇ ଅଶୋକଙ୍କୁ ଖବର ଦେଇଥିଲେ। ପରେ ଅଶୋକ ସନ୍ଧ୍ୟାରେ ଆରପିଏଫ ଥାନାରୁ ପର୍ସ ନେଇ ମହିଳା କନ୍‌ଷ୍ଟେବଳଙ୍କୁ ଧନ୍ୟବାଦ ଦେଇଥିଲେ। ଜରୁରୀ କାମରେ ଟଙ୍କା ନେଇ ଆସି ଷ୍ଟେଶନରେ ପର୍ସ ହଜାଇଥିବାରୁ ଫେରି ପାଇବା ଆଶା ଆଦୌ ନ ଥିଲା ବୋଲି ଅଶୋକ କହିଥିଲେ। ସୂଚନାଯୋଗ୍ୟ ପର୍ସରେ ୧୨ ହଜାର ଟଙ୍କା ସହ ପରିଚୟପତ୍ର ଓ କିଛି ଜରୁରୀ କାଗଜପତ୍ର ମଧ୍ୟ ଥିଲା।

Share