Categories: ଗଞ୍ଜାମ

ଟଙ୍କା ହେରଫେର ମାମଲା: ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କୁ ଜାମିନ

ବ୍ରହ୍ମପୁର ଅଫିସ,୧୭ା୯-ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଖାନା ଟାଙ୍କି ସଫା ମେଶିନ କିଣାରେ ସରକାରୀ ଟଙ୍କା ହେରଫେର ମାମଲାରେ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ଭି.ରବିନାରାୟଣ ରାଜୁଙ୍କୁ ସୋମବାର ଜାମିନ ମିଳିଛି। ଭିଜିଲାନ୍ସ ସ୍ବତନ୍ତ୍ର ଜଜ ବିଜୟ କୁମାର ଜେନା ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ୨୦୧୧- ୨୦୧୨ଆର୍ଥିକ ବର୍ଷ ପାଇଁ ଦିଗପହଣ୍ଡି ଏନ୍‌ଏସିରେ ଅନୁଷ୍ଠିତ ଏକ ବୈଠକରେ ଅଞ୍ଚଳର ପାଇଖାନା ଟାଙ୍କି ସଫା ମେଶିନ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଭଦ୍ରକର ଏମ୍‌.ଏସ୍‌.ବିଶ୍ୱାଳ ନାମକ ଏକ କମ୍ପାନୀ ୫ ଲକ୍ଷ ୭୫ ହଜାର ଟଙ୍କାର ଟେଣ୍ଡର ୨୦୧୨-୧୩ରେ ଦିଆଯାଇଥିଲା। ହେଲେ ଏହି ମେଶିନ କିଣାରେ ୮୩ ହଜାର ୩୯୨ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ପରେ ବ୍ରହ୍ମପୁର ଭିଜିଲାନ୍ସ ୨୦୧୩ ନଭେମ୍ବର ୨୧ରେ ନଂ.୨୯/୧୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିରେ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ଭିି.ରବିନାରାୟଣ ରାଜୁ, ତତ୍କାଳୀନ ଏବିଡ଼ିଓ ରମାକାନ୍ତ ସାହୁ, ତତ୍କାଳୀନ ସହକାରୀ ନିର୍ବାହୀ ଅଧିକାରୀ କାଶୀନାଥ ଗୌଡ଼ ଓ ଏମ୍‌.ଏସ୍‌.ବିଶ୍ୱାଳ କମ୍ପାନୀ ନଁାରେ ଭିଜିଲାନ୍ସ ମାମଲା ରୁଜୁୁ କରିଥିଲେ। ଭିଜିଲାନ୍ସ ଡ଼ିଏସ୍‌ପି ସନ୍ତୋଷ ମିଶ୍ର ଉକ୍ତ ୪ ଜଣଙ୍କ ନଁାରେ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ସୋମବାର ପୂର୍ବତନ ଅଧ୍ୟକ୍ଷ ରାଜୁଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସ୍ବତନ୍ତ୍ର ପିପି ତପନ କୁମାର ଦାସ ଓ ମୁଦାଲାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରସାଦ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀ ଉପସ୍ଥିତ ଥିଲେ।