Categories: ଖେଳ

ଟପ୍‌ ୫ରେ ତିସିତ୍‌ସିପାସ୍‌

ଓ୍ବାଶିଂଟନ, ୩ା୮ (ଏଏଫ୍‌ପି)- ଏଠାରେ ଚାଲିଥିବା ଓ୍ବାଶିଂଟନ ଏଟିପି ଓପନ୍‌ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ଯୋଗୁ ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଣ୍ଡି ମୁରେ ସିଙ୍ଗଲ୍ସକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଅଧିକ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଗ୍ରୀସ୍‌ର ଷ୍ଟିଫାନସ ତିସିତ୍‌ସିପାସ୍‌ ବିଶ୍ୱର ଟପ୍‌ ୫ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପକ୍କା କରିପାରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ଡବଲ୍ସ ଇଭେଣ୍ଟ ପରେ ବ୍ରିଟେନର ମୁରେ ପ୍ରଥମ ଥର ଏଠାରେ ତାଙ୍କ ଭାଇ ଜେମିଙ୍କୁ ପାର୍ଟନର କରି ଖେଳିଥିଲେ। କ୍ୱାର୍ଟରଫାଇନାଲରେ ସେମାନେ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ମାଇକେଲ ଭେନସ ଏବଂ ଦକ୍ଷିଣ ଆଫ୍ରିକାର ରାଭେନ୍‌ କ୍ଲାସେନ ଯୋଡ଼ିଙ୍କଠାରୁ ୬-୭ (୩/୭), ୭-୬ (୬/୮), ୧୦-୭ ସେଟ୍‌ରେ ହାରିଯାଇଥିଲେ। ୬ମାସ ପୂର୍ବେ ମୁରେଙ୍କ ଡାହାଣ ନିତମ୍ବରେ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କ ଟେନିସକୁ ଫେରିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ମୁରେ କହିଛନ୍ତି, ଆସନ୍ତା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ସିଙ୍ଗଲ୍ସ ପ୍ରତିଯୋଗିତାରେ ଯେପରି ଅଂଶଗ୍ରହଣ କରିପାରିବି ସେଥିଲାଗି ଅଭ୍ୟାସ ଚଳାଇଛି। ଏହି ପ୍ରତିଯୋଗିତାରେ ଖେଳିପାରିବିକି ନା ତାହା ୧୦ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଓ୍ବାଶିଂଟନ ଓପନ୍‌କୁ ୟୁଏସ୍‌ ଓପନ ଲାଗି ଟେନିସ ଖେଳାଳିମାନେ ଏକ ଓ୍ବାର୍ମଅପ୍‌ ଇଭେଣ୍ଟ ବୋଲି ବିବେଚନା କରନ୍ତି। ଟପ୍‌ ସିଡ୍‌ ତିସିତ୍‌ସିପାସ୍‌ ୧୦ମ ସିଡ୍‌ ତଥା ଫ୍ରେଞ୍ଚ ଖେଳାଳି ବେନଏଟ୍‌ ପାଇରେଙ୍କୁ ୭-୫, ୬-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ସୋମବାର ପ୍ରକାଶିତ ହେବାକୁଥିବା ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ସେ ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ଙ୍କୁ ପଛରେ ପକାଇ ୫ମ ସ୍ଥାନ ଅଧିକାର କରିନେବେ।

Share