ଟାଇଗରଙ୍କ କୁନି ପ୍ରଶଂସକ

ବମ୍ବେ: ଜଣେ କୁନି ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ହିରୋପନ୍ତିର ଅଭିନେତା ଟାଇଗର ଶ୍ରଫ୍‌। ପ୍ରଶଂସକ ହେଉଛନ୍ତି ଆମେରିକାରେ ରହୁଥିବା ହିବା। ବୟସ ଏବେ ତାଙ୍କୁ ପାଞ୍ଚ ବର୍ଷ। ହେଲେ ଟାଇଗରଙ୍କୁ ବହୁତ ଭଲ ପାଆନ୍ତି ସେ। ହିବାଙ୍କ ମା’ ଟାଇଗରଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହାକୁ ଟାଇଗର ନିଜ ଆକାଉଣ୍ଟରେ ରିଟୁଇଟ୍‌ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟାଇଗର କହିଛନ୍ତି, ଏବେ ପର୍ଯ୍ୟନ୍ତ ସେ ଦେଖିଥିବା ଭିଡିଓ ଭିତରେ ଏହା ସବୁଠାରୁ ଶ୍ରେଷ୍ଠ। ହିବାଙ୍କୁ ତାଙ୍କ ତରଫରୁ ଆଲିଙ୍ଗନ କରି ଭଲପାଇବା ଦେବେ। ଆଶା କରୁଛି ତାଙ୍କୁ ଶୀଘ୍ର ଭେଟିବି।

 

ନବାଗତ ଭାବେ ବଲିଉଡ୍‌ରେ ପ୍ରବେଶ କରିବାର ପାଞ୍ଚ ବର୍ଷ ମଧ୍ୟରେ ନିଜ ସ୍ଥାନ ଜମାଇ ସାରିଲେଣି ଟାଇଗର। ଫିଲ୍ମ ‘ହିରୋପନ୍ତି’ ଜରିଆରେ ସେ ନିଜର ଡେବ୍ୟୁ କରିଥିଲେ। ଫିଲ୍ମଟି ସେତେଟା ସଫଳ ହୋଇ ନ ଥିଲେ ହେଁ ତାଙ୍କର ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ଫିଲ୍ମରେ ଟାଇଗରଙ୍କ ନୃତ୍ୟ ଓ ଆକ୍ସନ ଏକ ଭିନ୍ନ ଛାପ ଛାଡ଼ିଥିଲା। ଏହା ପରଠାରୁ ସେ ଅନେକ ହିଟ୍‌ ଫିଲ୍ମରେ କାମ କଲେଣି। ନିକଟରେ ଟାଇଗର-ହ୍ରିତିକ୍‌ଙ୍କ ଯୋଡ଼ି ‘ଓ୍ବାର’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଫିଲ୍ମ ‘ବାଗି-୩’ରେ ନଜର ଆସିବେ।

Share