Categories: ଖେଳ

ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତୀ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ। ବିଜ୍‌ନେଶ, ମନୋରଞ୍ଜନ, ସ୍ପୋଟର୍‌ସ, ରାଜନୀତି, ସ୍ବାସ୍ଥ୍ୟ ଓ ବିଜ୍ଞାନ କ୍ଷେତ୍ରରେ ସକ୍ରିୟଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିବା ଦୂତୀ ୧୦୦ ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡର ଅଧିକାରୀ ଅଛନ୍ତି। ଭାରତର ପ୍ରଥମ ମହିଳା ସ୍ପ୍ରିଣ୍ଟରଭାବେ ସେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ହାଇପରଆଣ୍ଡ୍ରୋଜେନିଜମ୍‌ ନିୟମ ବିରୋଧରେ ଲଢ଼େଇ କରି ସେ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ଭାରତର ପ୍ରଥମ ମହିଳା ଆଥଲେଟ୍‌ଭାବେ ସେ ସମଲିଙ୍ଗୀ ସମ୍ପର୍କରେଥିବା ପ୍ରକାଶ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ନିକଟରେ ଭୋଗ୍‌ ଇଣ୍ଡିଆ ମାଗାଜିନ ପକ୍ଷରୁ ତାଙ୍କୁ ‘ସ୍ପୋଟର୍‌ସ ପର୍ଶନ ଅଫ୍‌ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବାରୁ ଦୂତୀ ଟୁଇଟ୍‌ କରି ଖୁସି ଜାହିର କରିଛନ୍ତି। ଲୋକଙ୍କ ଅଧିକାର, ସମାନତା ଓ ସ୍ବାଭିମାନ ପାଇଁ ମୋର ଲଢ଼େଇ ଜାରି ରହିବ ବୋଲି ଦୂତୀ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧମ୍ରେନ୍ଦ୍ର ପ୍ରଧାନ ଦୂତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share