ଟାଉନ୍‌ହଲ ପରିସର ପାଲଟିଛି ପାର୍କିଂସ୍ଥଳ, ପରିସ୍ରାଗାର

ପାରଳାଖେମୁଣ୍ଡି, ୫ା୩(ସ୍ବ.ପ୍ର.) ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ୧୪ ନଂ. ଓ୍ବାର୍ଡସ୍ଥିତ ଟାଉନ୍‌ହଲ ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ଅହେତୁକ ବିଳମ୍ବ ହେଉଥିବା ଜଣାପଡ଼ିଛି। ଜିଲା ସଦରରେ ସରକାରୀଭାବେ ଏହା ଏକମାତ୍ର ହଲ୍‌। ଏହା ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ଉତ୍ସବ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏଥିରୁ ରାଜସ୍ବ ମଧ୍ୟ ଆଦାୟ ହୋଇଥାଏ। ହେଲେ ଗତ କିଛି ବର୍ଷ ହେଲା ଟାଉନ୍‌ହଲ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବାବେଳେ ଏହାର ନବୀକରଣ କାର୍ଯ୍ୟ ଚାଲିଛି। ଏହାର ନବୀକରଣପାଇଁ ୨୧ଲକ୍ଷ ଟଙ୍କା ବ୍ୟୟମଞ୍ଜୁରୀ ହୋଇଥିବାବେଳେ ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ପୌରପରିଷଦ ସୂତ୍ରରୁ ପ୍ରକାଶ ା ତେବେ କାର୍ଯ୍ୟରେ ବିଳମ୍ବ ଘଟୁଥିବାରୁ ଏହା ବ୍ୟବହାରଯୋଗ୍ୟ ହୋଇପାରୁନି। ଯଦ୍ଦ୍ବାରା ସନ୍ଧ୍ୟାରେ ଏହା ପରିସରରେ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡା ଜମୁଛି। ଏଥିସହ ଦୀର୍ଘ ଦିନ ହେଲା ଏହା ପରିସରକୁ ପାର୍କିଂସ୍ଥଳ ଏବଂ ପରିସ୍ରାଗାରଭାବେ ବ୍ୟବହାର କରାଯାଉଥିବା ନଜରକୁ ଆସିଛି। ଯଦ୍ଦ୍ବାରା ଏଠାରେ ଏକ ଖରାପ୍‌ ପରିବେଶ ସୃଷ୍ଟି କରୁଛି। ତେଣୁ ନବୀକରଣ କାର୍ଯ୍ୟ ଶୀଘ୍ର ସାରି ହଲ୍‌କୁ ବ୍ୟବହାରଯୋଗ୍ୟ କରିବା ସହ ଉପଯୁକ୍ତ ପରିଚାଳନା କରାଗଲେ ଏହାର ସୌନ୍ଦଯ୍ୟ ବୃଦ୍ଧି ପାଇବା ସହ ରାଜସ୍ବ ମଧ୍ୟ ବୃଦ୍ଧି ପାଇବ ବୋଲି ସହରର ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।

Share