ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ

ବଡ଼ବିଲ,୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ସେଡିଂ ଅଞ୍ଚଳରେ ରହୁଥିବା ସୋମା ବେଣ୍ଟକାର ନାମକ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ସେହି ଅଞ୍ଚଳର ରିଙ୍କୁ ନାଏକ(୨୭)ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସୋମାଙ୍କ ସ୍ତ୍ରୀ ବୁଧୁନୀ ବଡ଼ବିଲ ଥାନାରେ ଦେଇଥିବା ଏତଲା ଅନୁଯାୟୀ, ଗତ ୧୫ ତାରିଖ ଗୁରୁବାର ରାତିରେ ସୋମା ଜଙ୍ଗଲରୁ ଗଛ କାଟି ଆଣୁଥିଲାବେଳେ ଏହାକୁ ରିଙ୍କୁ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୋମା ଧରିଥିବା ଟାଙ୍ଗିଆକୁ ରିଙ୍କୁ ଛଡ଼ାଇ ନେଇ ସୋମାଙ୍କ ବେକକୁ ହାଣି ପକାଇଥିଲେ। ଫଳରେ ସୋମା ଲହୁଲୁହାଣ ହୋଇଥିଲେ। ସୋମାଙ୍କ ସ୍ତ୍ରୀ ବୁଧୁନି ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ କେସ୍‌ ନଂ.୧୬୮/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଏତଲାକ୍ରମେ ପୋଲିସ ରିଙ୍କୁଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।