ଟାଙ୍ଗିଆରେ ମା’ଙ୍କୁ ହତ୍ୟା

ଚୌଦ୍ୱାର, ୧୬। ୭(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ଗୋପୀନାଥପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ନିଜ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପରେ ଟାଙ୍ଗିଆ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବରପାଇ ସୋମବାର ସକାଳେ ଟିପିଏମ୍‌ ଫାଣ୍ଡି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏ ନେଇ ଚୌଦ୍ୱାର ଥାନାରେ ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା(ନଂ.୨୧୮/୧୯) ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିବା ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି ା ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ପୋଲିସ ସୂତ୍ରରୁ ପ୍ରକାଶ, କଖଡି ବଜାରସାହିରେ ସାବି ପ୍ରଧାନ(୬୮), ପୁଅ ପ୍ରକାଶ ପ୍ରଧାନ(୩୧) ଓ ଝିଆରୀଙ୍କ ସହିତ ରହୁଥିଲେ। ରବିବାର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେବା ପାଇଁ ସାବି ଓ ପ୍ରକାଶ ନିକଟସ୍ଥ ଗୋପୀନାଥପଡା ଗ୍ରାମକୁ ଯାଇଥିଲେ। ରାତି ପ୍ରାୟ ୧୦ଟାରେ ଭୋଜି ସରିବା ପରେ ପ୍ରକାଶ ସାବିଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ସାବି ଟଙ୍କା ଦେବାକୁ ମନାକରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ୍ତ ହୋଇଥିଲା। ଫଳରେ ପ୍ରକାଶ ଉତ୍‌କ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଟାଙ୍ଗିଆରେ ସାବିଙ୍କ ମୁଣ୍ଡକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସାବିଙ୍କ ଚିତ୍କାର ଶୁଣି ବନ୍ଧୁଘର ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଠଗଡ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ, ପ୍ରକାଶ କିଛିବର୍ଷ ତଳେ ଜଣେ ଯୁବକଙ୍କୁ ବ୍ଲେଡରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଏହି ଘଟଣାରେ ଗିରଫ ହୋଇ ଜେଲରେ ସଜା କାଟିବା ପରେ ମୁକୁଳିଥିଲେ। ଅନ୍ୟପକ୍ଷରେ ପ୍ରକାଶଙ୍କ ବଡଭାଇ ହତ୍ୟା ଘଟଣାରେ ସମ୍ପୃକ୍ତି ଥାଇ ୨୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ଫେରାର ଥିବା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ କହିଛନ୍ତି।

Share