ଟାଟାଷ୍ଟିଲ କାର୍ଯ୍ୟାଳୟରେ ଜମିହରା ଗ୍ରାମବାସୀଙ୍କ ଦାବି ନେଇ ଆଲୋଚନା: ପ୍ରଶାସନ ନ ଆସିବାରୁ ହେଲାନି ସମାଧାନ

ଯୋଡ଼ା, ୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟାଷ୍ଟିଲ କମ୍ପାନୀର ଯୋଡା ଇଷ୍ଟ ଲୁହାପଥର ଖଣି ସମ୍ମୁଖରେ ଯୋଡା ଭୂୟଁା ବସ୍ତିର ଜମିହରା ମାନେ ବିଭିନ୍ନ ଦାବି ନେଇ ଜୁଲାଇ ୪ ତାରିଖରେ ଆନ୍ଦୋଳନ କରିଥିଲେ। ତେବେ ଏହାକୁ ସ୍ଥଗିତ କରାଯାଇଥିଲା। ଅଗଷ୍ଟ ୬ ତାରିଖରେ ପ୍ରଶାସନ, ଟାଟାଷ୍ଟିଲ କର୍ତ୍ତୃପକ୍ଷ ଏବଂ ଜମିହରାମାନଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା କରାଯିବାର ନିଷ୍ପତ୍ତି ନିଆଯାଇଥିଲେ ହେଁ ମଙ୍ଗଳବାର ପ୍ରଶାସନର ଅନୁପସ୍ଥିତି ଯୋଗୁ ସମାଧାନ ହୋଇପାରିନାହିଁ।
ଉକ୍ତ ଆନ୍ଦୋଳନରେ ଜମିହରାମାନେ ବିଭିନ୍ନ ଦାବି ମଧ୍ୟରେ କମ୍ପାନୀ ଗାଁ ରାସ୍ତାଘାଟ, ଶ୍ମଶାନ ଜମି ଦୀର୍ଘ ବର୍ଷ ହେବ ଜମିହରାଙ୍କ ଜମିରେ ଖଣି ଖନନ କରିଆସୁଥିଲେ ହେଁ ଜମିହରାଙ୍କର ଥଇଥାନ ଓ ନିଯୁକ୍ତି ଦାବି ପୂରଣ କରାଯାଉନଥିବା ଅଭିଯୋଗ କରି ଆନ୍ଦୋଳନ କରିଥିଲେ। ବଡବିଲ ଏସଡିପିଓ ଦିଲୀପ କୁମାର ବାଗ୍‌ , ତହସିଲଦାର କ୍ଷୀରୋଦ କୁମାର ବେହେରା, ଯୋଡା ଥାନା ଆଇଆଇସି ବିଜୟକୃଷ୍ଣ ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଏହାର ସମାଧାନ କରିବା ପାଇଁ ଅଗଷ୍ଟ ୬ ତାରିଖରେ ଦିନ ଧାର୍ଯ୍ୟ କରିଥିଲେ ା ନିର୍ଦ୍ଧାରିତ ତାରିଖ ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନରେ ଭୂୟାଁ ବସ୍ତିର ଶହ ଶହ ମହିଳାପୁରୁଷ ଜମିହରା ମାନେଏହି ଆଲୋଚନା ବୈଠକରେ ସାମିଲ ହେବା ପାଇଁ ଯାଇଥିଲେ। ହେଲେ କେନ୍ଦୁଝର ଜିଲାପାଳଙ୍କ ବଡବିଲ ଗସ୍ତ ଥିବାରୁ ପ୍ରଶାସନିକ ଅଧିକାରୀମାନେ ଏହି ବୈଠକରେ ଅନୁପସ୍ଥିତ ଥିଲେ ା ଫଳରେ ଜମିହରାମାନେ ଅପେକ୍ଷା କରି ଅପରାହ୍ନ ପରେ ନିରାଶ ହୋଇ ଘରକୁ ଫେରିଥିଲେ। ଏ ସମ୍ପର୍କରେ ବଡବିଲ ଏସଡିପିଓ ଦିଲୀପ କୁମାର ବାଗ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜିଲାପାଳ ବଡବିଲ ଗସ୍ତରେ ଆସିଥିବାରୁ ପ୍ରଶାସନିକ ଅଧିକାରୀମାନେ ଏକ ବଡ ବୈଠକରେ ବ୍ୟସ୍ତ ଥିଲେ। ଆଗାମୀ ଦିନରେ ଏହାର ସମାଧାନ ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଟାଟାଷ୍ଟିଲର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟ ଏକ ଇମେଲ୍‌ ମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ମଶାନ ଜମିରେ ଥିବା ସମସ୍ୟାର ସମାଧାନ କରାଯାଇଛି ା କମ୍ପାନୀ ସରକାରୀ ଅଧିକାରୀଙ୍କ ପରାମର୍ଶ ନେବା ପରେ ଜମି ଚିହ୍ନଟ କରି ଆବଶକୀୟ ସହାୟତା ଯୋଗାଇ ଦେବ ା ଜମି ଆବଣ୍ଟନ ଓ ନିଯୁକ୍ତିକୁ ନେଇ ଅଭିଯୋଗ ଥିଲେ କମ୍ପାନୀ ନୀତି ଅନୁଯାୟୀ ପ୍ରତିକାର ନିମନ୍ତେ ଆବଶ୍ୟକ ତଥ୍ୟ ସହ କମ୍ପାନୀ ପାଖରେ ଜମିହରାମାନେ ଅଭିଯୋଗ କରିପାରିବେ। ଏହି ମାମଲାର ସମାଧାନ ପାଇଁ ଟାଟାଷ୍ଟିଲ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରାଯାଇଛି ା

Share