Advertisement

ଟାଟାସ୍ପଞ୍ଜ ପଞ୍ଚସଖା ଫୁଟବଲ ଟୁର୍ନାମେଣ୍ଟ : ଦେଓଝର ଗ୍ରାମ ପଞ୍ଚାୟତ ଚାମ୍ପିୟନ

ଯୋଡ଼ା,୨୭।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡାବ୍ଲକ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ ଆଇରନ ଲିମିଟେଡର ଟାଟାସ୍ପଞ୍ଜ ପଞ୍ଚସଖା ପକ୍ଷରୁ ଏକ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଆୟୋଜିତ ହୋଇଥିଲା। ଫାଇନାଲ ମ୍ୟାଚ ଅଁସେଇକଳା ଓ ଦେଓଝର ଗ୍ରାମ ପଞ୍ଚାୟତ ମଧ୍ୟରେ ଖେଳା ଯାଇଥିଲା। ଏଥିରେ ଖେଳ ଅମୀମାଂଶିତ ହେବାରୁ ପେନାଲଟି ସୁଟ୍‌ ମାଧ୍ୟମରେ ଦେଓଝର ଗ୍ରାମ ପଞ୍ଚାୟତ ବିଜୟଲାଭ କରି ଚାମ୍ପିୟନ ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଜିଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ସମ୍ମାନିତ ଅତିଥି ଭାବେ ଟାଟା ସ୍ପଞ୍ଜ ଅଧିକାରୀ ରାଘବନ ସୋମନାଥ, ସତ୍ୟ ନାରାୟଣ ନନ୍ଦ, ଟାଟାସ୍ପଞ୍ଜ ଶ୍ରମିକ ସଂଘ ସଭାପତି ସଞ୍ଜୟ ମହାନ୍ତ, ରମେଶ ଚନ୍ଦ୍ର ବେହେରା, ଗଣପତି ୟୁଥ କ୍ଲବ, ବିରିକଳାର ସମ୍ପାଦକ ରଞ୍ଜିତ ନାଏକ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳ ସହିତ ସମସ୍ତ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଅଁଶେଇକଳା ଗ୍ରାମ ପଞ୍ଚାୟତ ଦଳର ମାନସିଂ ପୂର୍ତ୍ତି, ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଦେଓଝର ଗ୍ରାମ ପଞ୍ଚାୟତ ଦଳର ମଧୁସୂଧନ ମୁଣ୍ଡା, ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ ଦେଓଝର ଦଳର ଅରୁଣ ମୁଣ୍ଡା ଓ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ କଣ୍ଡରା ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା। ଟାଟାସ୍ପଞ୍ଜ ସିଏସଆର ଡେପୁଟି ମ୍ୟାନେଜର ତ୍ରିଲୋଚନ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଟୁର୍ନାମେଣ୍ଟକୁ ଶିବପ୍ରସାଦ ଦାସ, ରେଫରି ରାଜୁ ମହାନ୍ତି, ପ୍ରିୟବ୍ରତ ବାହିନିପତି, ଦିଗବିଜୟୀ ଦାସ, ଲକ୍ଷ୍ମୀପ୍ରସାଦ ନାଇଡୁ ଓ ଉତ୍କଳମଣି ବେହେରା ସୂଚାରୁ ରୂପେ ପରିଚାଳନା କରିଥିଲେ। କ୍ଷୀରୋଦ ଗିରି, ଭାଗିରଥୀ ପାତ୍ର ଓ ଘନ ମହାନ୍ତ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share