ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ କାମ କରୁଥିବା ଶ୍ରମିକମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଶନିବାର ସନ୍ଧ୍ୟାରେ ଥମିଛି। ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ ସମ୍ମିଳନୀ ଗୃହରେ ପୂର୍ବାହ୍ନରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ବସିଥିଲା। ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିବାବେଳେ ତହସିଲଦାର ନୀଳମାଧବ ଭୋଇ, ଏସ୍‌ଡିପିଓ ଉତ୍କଳକେଶରୀ ଦାଶ, ଚମାଖଣ୍ଡି ଆଇଆଇସି ସହଦେବ ମହାପାତ୍ର, ଟାଟା କମ୍ପାନୀ କର୍ତ୍ତୃପକ୍ଷ, ବିସ୍ଥାପିତ ତଥା ଶ୍ରମିକଙ୍କର ପ୍ରତିନିଧି ଉପସ୍ଥିତ ଥିଲେ। ଏଥିରେ କୌଣସି ନିଷ୍କର୍ସ ନ ବାହାରିବାରୁ ପୁଣି ଅପରାହ୍ନରେ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ବସିଥିଲା। ପରିବେଶ ଶାନ୍ତ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁଣି ବୈଠକ ବସି ଆଲୋଚନା ହେବ ବୋଲି ନିଷ୍ପତି ହୋଇଛି। ଉକ୍ତ ସଂସ୍ଥା ବଦଳରେ ଟାଟା କମ୍ପାନୀରେ ସ୍ଥାୟୀ ଭାବେ ନିଯୁକ୍ତି ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିଲା। ଗୁରୁବାର ରାତିରେ କେତେକ ଶ୍ରମିକ ଟାଟା ପ୍ରକଳ୍ପରେ ଭଙ୍ଗାରୁଜା କରିଥିଲେ। ଟାଟା କମ୍ପାନୀର ଶତପ୍ରତିଶତ ସହଯୋଗୀ ଟିଏସ୍‌ ଆଲଏଜ୍‌ରେ ବିସ୍ଥାପିତ ପରିବାରର ୮୬ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Share