ନୂଆଦିଲ୍ଲୀ,୧୬।୬: ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସ ତଥା ଚତୁର୍ଥ ତ୍ରୈମାସରେ ଟାଟା ମୋଟର୍ସର ନେଟ୍ କ୍ଷତି ୯୮୬୪ କୋଟି ରହିଛି। କରୋନା ମହାମାରୀ ଯୋଗୁ ଜାଗୁଆର ଲାଣ୍ଡ ରୋଭର ଓ ଘରୋଇ ବଜାରରେ ଯାନ ବିକ୍ରି ପ୍ରଭାବିତ ହେବା ଯୋଗୁ କମ୍ପାନୀକୁ ଏଭଳି କ୍ଷତି ସହିବାକୁ ପଡିଛି। ୨୦୧୮-୧୯ ଜାନୁୟାରୀ ମାର୍ଚ୍ଚ ସମୟରେ କମ୍ପାନୀ ୧,୧୦୮ କୋଟି ଟଙ୍କାର ନେଟ୍ ଲାଭ କରିଥିଲା। କମ୍ପାନୀର ପରିଚାଳନା ଗତ ମୋଟ ରାଜସ୍ବ ୬୨,୪୯୨ କୋଟି ଟଙ୍କା ରହିଛି। ଏହା ଗତ ବର୍ଷ ସମାନ ସମୟରେ ୮୬,୪୨୨ କୋଟି ଟଙ୍କା ରହିଥିଲା। ମାର୍ଚ୍ଚ ତ୍ରୈମାସରେ କମ୍ପାନୀର ପରିଚାଳନା କ୍ଷତି ୪୮୭୧ କୋଟି ଟଙ୍କା ରହିଛି। କମ୍ପାନୀ ଗତ ବର୍ଷ ଏହି ସମୟରେ ୧୦୬ କୋଟି ଟଙ୍କା ଲାଭ କରିଥିଲା। ଜାଗୁଆର ଲ୍ୟାଣ୍ଡ ରୋଭର ୫୦୧ ନିୟୁତ ପାଉଣ୍ଡ କ୍ଷତି ସହିଛି। ୨୦୧୯-୨୦ରେ ଟାଟା ମୋଟର୍ସର ନେଟ୍ କ୍ଷତି ୧୧,୯୭୫ କୋଟି ଟଙ୍କା ରହିଛି। ଲକ୍ଡାଉନ ପାଇଁ ଭାରତ ବଜାରରେ ବର୍ତ୍ତମାନ ଯାନ ବିକ୍ରି କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ଲୋକଙ୍କ ନିକଟରେ ନଗଦ ଅଭାବ, ବିଏସ୍-୬କୁ ପରିବର୍ତ୍ତନ ଭଳି ସମସ୍ୟା ଘରୋଇ ବଜାରରେ ରହିଥିବାରୁ ଏହାର ପ୍ରଭାବ କମ୍ପାନୀର କାରବାର ଉପରେ ପଡିଥିବା ଜଣାପଡିଛି।