ଟାଟା ମ୍ୟାଜିକ୍‌କୁ ୧୭,୫୦୦ ଜରିମାନା

ଭଦ୍ରକ ଅଫିସ,୧୫।୨-ଭଦ୍ରକ ଆର୍‌ଟିଓ ପକ୍ଷରୁ ଶନିବାର ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ୍‌କୁ ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟାଟା ମ୍ୟାଜିକ୍‌ (ନଂ ଓଆର୍‌ ୨୨ ଇ ୪୦୬୫) ସ୍କୁଲ ପିଲାଙ୍କୁ ନେଇ ଇଚ୍ଛାପୁରସ୍ଥିତ ଏକ ବେସରକାରୀ ଇଂଲିଶ ମିଡିୟମ୍‌ ସ୍କୁଲକୁ ଯାଉଥିଲା। ଏହି ସମୟରେ ଆର୍‌ଟିଓ କର୍ମଚାରୀ ଓ ଗ୍ରାମାଞ୍ଚଳ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ଗାଡ଼ିକୁ ଅଟକାଇଥିଲେ। ପ୍ରଥମେ ସ୍କୁଲ ସମ୍ମୁଖରେ ପିଲାଙ୍କୁ ଓହ୍ଲାଇ ଦେଇଥିଲେ। ପରେ ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରି ୧୭,୫୦୦ ଟଙ୍କା ଜରିମାନା କରିଥିଲେ। ଯାଞ୍ଚ ସମୟରେ ଇନ୍ସ୍ୟୁରାନ୍ସ, ଉପଯୁକ୍ତ ପର୍‌ମିଟ୍‌, ସ୍କୁଲ ପିଲାଙ୍କୁ ନେବାର ଉପଯୁକ୍ତ ନିରାପଦ ବ୍ୟବସ୍ଥା ନ ଥିବା ସହିତ ଅନ୍ୟ କାଗଜପତ୍ର ମଧ୍ୟ ନ ଥିବା ଜଣାପଡ଼ିଥିଲା। ଆର୍‌ଟିଓ ପକ୍ଷରୁ ଜରିମାନା କଟାଯାଇ ଉକ୍ତ ଗାଡ଼ିକୁ ଗ୍ରାମାଞ୍ଚଳ ଥାନାକୁ ହସ୍ତାନ୍ତର କରାଯାଇଥିଲା। ପର୍‌ମିଟ ନ ଥିବାରୁ ୧୦ ହଜାର, ଫିଟ୍‌ନେସ୍‌ ନ ଥିବା ପାଇଁ ୫ ହଜାର, ଇନ୍ସ୍ୟୁରାନ୍ସ ପାଇଁ ୨ ହଜାର ଓ ଅନ୍ୟାନ୍ୟ ବାବଦକୁ ୫ ଶହ ଟଙ୍କା ଫାଇନ୍‌ ଲଗାଯାଇଥିବା ଟ୍ରାନ୍ସପୋର୍ଟ ଇନ୍ସପେକ୍ଟର ଧନେଶ୍ୱର ନାୟକ ପ୍ରକାଶ କରିଛନ୍ତି।