ଟାଟା ଷ୍ଟିଲର ଭ୍ରାମ୍ୟମାଣ ମେଡିକାଲ ୟୁନିଟ କ୍ରିୟାଶୀଳ

ଡୁବୁରୀ,୨୪।୮(ଡି.ଏନ୍‌.ଏ.)- ସୁକିନ୍ଦା ଓ ଦାନଗଦୀ ବ୍ଲକ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ଟାଟାଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ୨୦୧୩ରୁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ମେଡିକାଲ ୟୁନିଟକୁ ଅଧିକ କ୍ରିୟାଶୀଳ କରାଯାଇଛି। ଫଳରେ ୭ଟି ମେଡିକାଲ ଟିମ୍‌ ୭ଟି ଭ୍ରାମ୍ୟମାଣ ଗାଡିରେ ସେବା ପ୍ରଦାନ କରାଯାଉଛି। ପ୍ରତି ମେଡିକାଲ ଗାଡି ଦିନକୁ ୨ଟି ଗ୍ରାମରେ ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ଶୁକ୍ରବାର ସୁକିନ୍ଦା ବ୍ଲକର ସଂସାଇଲୋ ଓ ଗୋବରଘାଟି ପଞ୍ଚାୟତରେ ଭ୍ରାମ୍ୟମାଣ୍ୟ ରୋଗୀସେବା କରାଯାଇଛି। ଏଥିରେ ମାଗଣାରେ ରକ୍ତନମୁନା ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ରୋଗୀଙ୍କୁ ଚିକିତ୍ସାର ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଇତି ମଧ୍ୟରେ ପ୍ରାୟ ୩୦ ହଜାର ବିଭିନ୍ନ ପ୍ରକାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ନିୟମିତ ବ୍ୟବଧାନରେ, ଡେଙ୍ଗୁ ଜ୍ୱର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସଚେତନତା ଶିବିର ମଧ୍ୟ କରାଯାଉଥିବାରୁ ଅଧିକରୁ ଅଧିକ ରୋଗୀ ଏଥିରୁ ସଫଳତା ପାଉଥିବା ଡୁବୁରୀ ସରପଞ୍ଚ ଦଶରଥ ବେହେରା ଓ ଧୂଳିଗଡ ସରପଞ୍ଚ ଚିତ୍ତରଞ୍ଜନ ବେହେରା କହିଛନ୍ତି। ଏହି ସେବା ଦ୍ୱାରା ଶ୍ୱସନଳୀରେ ସଂକ୍ରମଣ, ଥଣ୍ଡା ଓ ବିଭିନ୍ନ ପ୍ରକାର ଜ୍ୱରର ଆଶୁ ଚିକିତ୍ସା କରାଯାଉଛି। ଆବଶ୍ୟକସ୍ଥଳେ ରେଫରାଲ ମାମଲାରେ ରୋଗୀଙ୍କ ପାଇଁ ପରିବହନର ସମସ୍ତ ବ୍ୟବସ୍ଥା କରାଯାଉଥିବା ଟିଏସ୍‌ଅର୍‌ଡିଏସ୍‌ର ଡାକ୍ତର ସୁବାସ ଚନ୍ଦ୍ର ଗରାଇ କହିଛନ୍ତି।

Share