ଟାଣିନେଲା ୩୩ କେଭି ବିଦ୍ୟୁତ୍‌: ଜଳିଗଲେ ରଙ୍ଗମିସ୍ତ୍ରି, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶିଶୁ ବିହାରରେ ସୋମବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ଘରର ରଙ୍ଗ କାମ ଚାଲିଥିବାବେଳେ ଜଣେ ଯୁବକଙ୍କୁ ଯମ ଭଳି ଟାଣି ନେଇଥିଲା ୩୩ କେଭି ବିଦ୍ୟୁତ୍‌ ତାର। କେହି କିଛି ବୁଝିବା ପୂର୍ବରୁ ସେ ଜଳିଯାଇ ତଳକୁ ଖସି ପଡିଥିଲେ। ମୃତ ଯୁବକ ଜଣକ ହେଲେ ଶିଖରଚଣ୍ଡୀ ବସ୍ତିରେ ରହୁଥିବା ରଙ୍ଗମିସ୍ତ୍ରି ଲଲନ କୁମାର ଶର୍ମା(୨୪)। ବିଦ୍ୟୁତ୍‌ ଆଘାତରେ ତାଙ୍କ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୋଲିସ ପହଞ୍ଚତ୍ ମୃତଦେହ ଓ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ଇନ୍‌ଫୋସିଟି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ନଂ.୬୩/୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଲଲନ ଓ ଅନ୍ୟ କେତେଜଣ ସହଯୋଗୀ ୨ଦିନ ହେବ ଶିଶୁବିହାରରେ ରହୁଥିବା ରମେଶ କୁଣ୍ଡଙ୍କ ଘରର ରଙ୍ଗ କାମ କରୁଥିଲେ। ସୋମବାର ପୂର୍ବାହ୍ନ ୧୧ଟାରେ ଲଲନ ଓ ଅନ୍ୟଜଣେ ଉକ୍ତ କୋଠାର ୨ ମହଲା କାନ୍ଥକୁ ବାହାରପଟୁ ରଙ୍ଗ ଦେଉଥିଲେ। ଘର ନିକଟରେ ୩୩ କେଭିର ବିଦ୍ୟୁତ୍‌ ତାର ଯାଇଛି। ଉଚ୍ଚଶକ୍ତି ସମ୍ପନ୍ନ ଉକ୍ତ ତାରର ନିକଟତର ହେବାମାତ୍ରେ ଲଲନ ଓ ଅନ୍ୟଜଣଙ୍କୁ ହଠାତ୍‌ ଟାଣି ନେଇଥିଲା। ଏହି ସମୟରେ ଜୋର୍‌ରେ ବିସ୍ଫୋରଣ ହୋଇଥିଲା। ବିଦ୍ୟୁତ୍‌ର ଝଟ୍‌କା ଏତେ ଜୋର୍‌ ଥିଲା ଯେ, ଏହା ପ୍ରଭାବରେ ଉକ୍ତ ଘରର ଛାତ ଓ କାନ୍ଥ ଚଡ୍‌ଚଡ୍‌ ହୋଇ ଫାଟିଯିବା ସହ ଘରେ ଲାଗିଥିବା ତାର ଏବଂ ବୈଦ୍ୟୁତିକ ସରଞ୍ଜାମ ସବୁ ପୋଡ଼ି ଯାଇଥିଲା। ଶବ୍ଦ ଶୁଣି ରଙ୍ଗ ଦେଉଥିବା ଅନ୍ୟ ସାଥୀ ଓ ଘର ମାଲିକ ଦୌଡି ଆସିଥିଲେ। ଲଲନ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାବେଳେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେହିଭଳି ଅନ୍ୟଜଣେ ଆହତ ହୋଇଥିଲେ। ସେମାନେ ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚତ୍ ପ୍ରଥମେ ବିଦ୍ୟୁତ୍‌ ବିଭାଗକୁ ଫୋନ୍‌ରେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ବିଦ୍ୟୁତ୍‌ କଟାଯିବା ପରେ ମୃତଦେହକୁ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରିଥିଲା ପୋଲିସ।

Share