ଟାୟାର ଜାଳି ରାସ୍ତା ବନ୍ଦ କଲେ ଗ୍ରାମବାସୀ

ବାରିପଦା ଅଫିସ,୨୮ା୩: କରୋନା ଭାଇରସ୍‌କୁ ନେଇ ଜିଲାର ବିଭିନ୍ନ ଗ୍ରାମର ଲୋକେ ବେଶ ସଚେତନ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀ ନିଜେ ନିଜକୁ ଲକଡାଉନ କରି ଘରେ ରହୁଥିବା ବେଳେ ଗାଁ ମୁଣ୍ଡକୁ ମଧ୍ୟ ସିଲ୍‌ କରି ଦେଇଛନ୍ତି। ଶ୍ୟାମାଖଣ୍ଟା ବ୍ଲକ ମହୁଲିଆ ପଞ୍ଚାୟତ ଅନ୍ତର୍ଗତ ଯତିପୁର ଗ୍ରାମ ଛକରେ ଶନିବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଗ୍ରାମକୁ ଯେପରି କେହି ବାହାର ଲୋକ ପ୍ରବେଶ ନ କରିବେ ଓ ଗ୍ରାମର ଲୋକେ ଅନ୍ୟ ଆଡ଼େ ନ ଯିବେ ସେଥିତ୍ପାଇଁ ଗ୍ରାମବାସୀ ରାସ୍ତାରେ ବାଉଁଶ ପକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଜିଲାର ବିଭିନ୍ନ ଗ୍ରାମର ପ୍ରବେଶ ପଥରେ ଲୋକେ ଜଗି ରହି ବାହାର ଲୋକଙ୍କୁ ହାତ ଧୋଇବା ପାଇଁ ସଚେତନ କରାଉଛନ୍ତି। ଗୋପବନ୍ଧୁନଗର ବ୍ଲକ ଜୟପୁର ପଞ୍ଚାୟତ ଅଧୀନ ଜାମାସାହି ଓ ଧରମାଡ଼ିହି ଗାଁ ଛକଠାରେ ଲୋକମାନେ ରାସ୍ତାକୁ ସିଲ୍‌ କରି ଦେଇଛନ୍ତି। ଗ୍ରାମରେ ଦୋକାନ ଥିବାରୁ ସେଠାରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି। ଅତି ଜରୁରୀ ନ ହେଲେ ଗ୍ରାମରୁ ବାହାରିବେ ନାହିଁ ବୋଲି ଗ୍ରାମବାସୀ ଶପଥ ନେଇଛନ୍ତି। ସେହିଭଳି ମୟୂରଭଞ୍ଜ ଯୁବ ସେନା ପକ୍ଷରୁ ଜିଲାର ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ଗାଁମୁଣ୍ଡରେ ହାତ ଧୋଇ କରୋନା ସଂକ୍ରମଣକୁ ରୋକିବା ଦିଗରେ ସଚେତନ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି।

Share