Categories: ବାଣିଜ୍ୟ

ଟିକସ ଅଧିକାରୀଙ୍କ ମାନସିକତା ବଦଳିବା ଦରକାର:ସୀତାରାମନ୍‌

ଅହମ୍ମଦାବାଦ,୧୮-୮: ଉଦ୍ୟୋଗ ଜଗତ ପକ୍ଷରୁ ‘ଟିକସ ଆତଙ୍କବାଦ’ ଅଭିଯୋଗ ଅଣାଯାଉଛି। ଏହି କାରଣରୁ ଦେଶର ଟିକସ ଆଦାୟ ବ୍ୟବସ୍ଥାକୁ ଟେକ୍ନୋଲୋଜି ଆଧାରିତ କରିବା ଜରୁରୀ ହୋଇପଡିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି। ଟିକସ ଅଧିକାରୀମାନଙ୍କ ମାନସିକତାରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏଠାରେ ଆୟୋଜିତ ଟିକସ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ଟିକସ ପ୍ରଶାସନକୁ ଅତ୍ୟନ୍ତ ସମ୍ବେଦନଶୀଳ ଭୂମିକା ନିର୍ବାହ କରିବାକୁ ପଡିଥାଏ। ଟିକସଦାତାଙ୍କ ସେବା କରିବା ବେଳେ ଅଧିକାରୀମାନଙ୍କୁ ନିଜର ମାନସିକତାରେ ପରିବର୍ତ୍ତନ କରିବା ଜରୁରୀ ବୋଲି ସେ କହିଛନ୍ତି। ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ ଯେ, ସଚ୍ଚୋଟ ଟିକସଦାତାଙ୍କୁ ହଇରାଣ କରା ନ ଯାଉ। ଟିକସଦାତାଙ୍କ ଠାରୁ ଅଧିକାରୀଙ୍କୁ ଦୂରେଇ ରଖିବା ଲାଗି ଟେକ୍ନୋଲୋଜିର ପ୍ରୟୋଗ ମାଧ୍ୟମରେ ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ କରାଯିବାର ସମୟ ଆସିଛି ବୋଲି ସୀତାରାମନ୍‌ କହିଛନ୍ତି। ଗତ ମାସରେ କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ମଧ୍ୟ ଆମତ୍ହତ୍ୟା ପୂର୍ବରୁ ଛାଡ଼ିଯାଇଥିବା ଚିଠିରେ ଟିକସ ଅଧିକାରୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ଦର୍ଶାଇଥିଲେ।

Share