ମାଡ୍ରିଡ, ୧୮ା୪ (ଏଏଫ୍ପି)- ସଦ୍ୟତମ ଫୁଟ୍ବଲ ଷ୍ଟାର ଖେଳାଳି ହିସାବରେ ଆଟ୍ଲେଟିକେ ମାଡ୍ରିଡ୍ ଷ୍ଟ୍ରାଇକର ଡିଏଗୋ କୋଷ୍ଟା ଟିକସ ଫାଙ୍କି ମାମଲାରେ ଫସିଛନ୍ତି। ‘ଇମେଜ୍-ରାଇଟ୍’ ବାବଦରେ ସେ ଯେତିକି ଟିକସ ଦେବା କଥା ତାହାର ସେ ଖିଲାପ କରିଛନ୍ତି। ସେ ୨୦୧୪ରୁ ୧.୧ ନିୟୁତ ୟୁରୋର ଟିକସ ଜାଲିଆତି କରିଥିବା ସ୍ପେନ ଟିକସ ପ୍ରଶାସନ ପକ୍ଷରୁ ଅଭିଯୋଗ ହୋଇଥିବା ଏକ ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଛି। ସ୍ପେନରେ ଏହା ପୂର୍ବରୁ ଦୁଇ ଜଣ ଫୁଟ୍ବଲ ସୁପର ଷ୍ଟାର ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି ସମାନ ମାମଲାରେ ଫସି ଜରିମାନା ଦେଇ ସାରିଛନ୍ତି। ତୃତୀୟ ଷ୍ଟାର ଖେଳାଳି ନେମାରଙ୍କ ବିରୋଧରେ ସ୍ପେନର ଟିକସ କର୍ତ୍ତୃପକ୍ଷ ତଦନ୍ତ ଚଳାଇଛନ୍ତି। ୩୦ ବର୍ଷୀୟ କୋଷ୍ଟା ୨୦୧୪ରେ ଆଟଲେଟିକୋରୁ ଆସି ଚେଲ୍ସିରେ ଯୋଗଦେବାର କିଛି ସମୟ ପୂର୍ବରୁ ଆଡିଡାସ ସହିତ ସ୍ପନସରଶିପ୍ ଚୁକ୍ତି କରିଥିଲେ। ଏବାବଦରେ ସେ ତାଙ୍କ ଆୟକୁ ଗୋପନ ରଖିଥିଲେ। ଉଭୟ ବ୍ରାଜିଲ ଓ ସ୍ପେନର ନାଗରିକତ୍ୱ ହାସଲ କରିଥିବା କୋଷ୍ଟା ୨୦୧୮ରେ ଆଟଲେଟିକୋକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।