Categories: ବାଣିଜ୍ୟ

ଟିକସ ବ୍ୟବସ୍ଥାର ସରଳୀକରଣ ଲାଗି ପଦକ୍ଷେପ ନିଆଯାଉଛି: ସୀତାରାମନ

ନୂଆଦିଲ୍ଲୀ,୮-୧: ଦେଶରେ ଟିକସ ବ୍ୟବସ୍ଥାର ସରଳୀକରଣ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସୂଚନା ଦେଇଛନ୍ତି। ସେହିଭଳି ସାଧୁ ଟିକସଦାତାଙ୍କ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଶେଷ କରିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ସେ ମତ ଦେଇଛନ୍ତି। କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ର ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜିଏସ୍‌ଟି ଫାଇଲିଂ ସିଷ୍ଟମର ଉନ୍ନତୀକରଣ ଲାଗି ସରକାର ପରାମର୍ଶ ଗ୍ରହଣ କରୁଛନ୍ତି। ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଗ୍ରହଣ କରିବା ପରେ ତାକୁ ଆଧାର କରି ସରକାର ପରବର୍ତ୍ତୀ ଯୋଜନା ହାତକୁ ନେଉଛନ୍ତି। ଟିକସଦାତାଙ୍କ ଏବଂ ଅଧିକାରୀଙ୍କ ମଧ୍ୟରେ ଇଣ୍ଟରଫେସ ବା ସାମ୍ନାସାମ୍ନି ନ ହୋଇ ମଧ୍ୟ ଫେସଲେସ୍‌ ଇ-ଆସେସମେଣ୍ଟ ବ୍ୟବସ୍ଥା ଗତ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଛି। ଆୟକର ବିଭାଗ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେଶନ ନମ୍ବର(ଡିଆଇଏନ୍‌) ମଧ୍ୟ ଶୁଭାରମ୍ଭ କରିଛି। ସାରା ଦେଶରେ ଶୀଘ୍ର ଏକ ଶପିଂ ଫେଷ୍ଟିଭାଲ ଆୟୋଜନ କରାଇବା ନେଇ ଯୋଜନା ହାତକୁ ନିଆଯାଇଛି ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।

Share