ଟିକା ଆସିଲେ ବି ଯିବନି କରୋନା

ନୂଆଦିଲ୍ଲୀ,୨୯ା୫: କୋଭିଡ୍‌-୧୯ ମହାମାରୀର ପ୍ରତିକାର ଲାଗି ଟିକା ପ୍ରସ୍ତୁତିରେ ଲାଗିଛନ୍ତି ବିଭିନ୍ନ ଦେଶର ଅନେକ ସଂସ୍ଥା। ତେବେ ଟିକା ଆବିଷ୍କାର ହୋଇ ଏହାକୁ ପ୍ରୟୋଗ କରାଗଲେ ମଧ୍ୟ କରୋନା ଭୂତାଣୁ ଏତେଶୀଘ୍ର ଚାଲିଯିବାର ସମ୍ଭାବନା ନାହିଁ। ଏହା ଦୀର୍ଘ ଦଶନ୍ଧି ଧରି ପୃଥିବୀ ପୃଷ୍ଠରେ ରହିବା ସହ ଲୋକଙ୍କୁ ସଂକ୍ରମିତ କରିଚାଲିବ ବୋଲି ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି। କାରଣ ମୂଳପୋଛ କରିବା ଉଦ୍ୟମକୁ ଏହିସବୁ ମହାମାରୀ ଭୂତାଣୁ କଡ଼ା ପ୍ରତିରୋଧ କରିଥାନ୍ତି ବୋଲି ମିଳିମିଳା, ଏଚ୍‌ଆଇଭି ଏବଂ ହାଡ଼ଫୁଟିର ଉଦାହରଣ ଦେଇ ସେମାନେ କହିଛନ୍ତି। ସଂକ୍ରମଣର ପରବର୍ତ୍ତୀ ପର୍ଯ୍ୟାୟରେ ବାସ୍ତବତାକୁ ଗ୍ରହଣ କରିନେବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମହାମାରୀ ବିଜ୍ଞାନ, ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ଓ ଟିକା ପ୍ରସ୍ତୁତି ସହ ସମ୍ପୃକ୍ତ ବିଶେଷଜ୍ଞମାନେ ମତ ଦେଇଛନ୍ତି। କୋଭିଡ୍‌-୧୯ର ଦୀର୍ଘମିଆଦୀ ଯୁଦ୍ଧରେ ଜନସାଧାରଣଙ୍କୁ ଲଢ଼ିବାକୁ ହେବ। ଏହାବ୍ୟତୀତ ପ୍ରଚୁର ଅର୍ଥ ବିନିଯୋଗ ଲାଗି ଯୋଜନା ପ୍ରସ୍ତୁତ କରିବା ସହ ବର୍ତ୍ତମାନ ଦେଖାଦେଇଥିବା ସ୍ଥିତିରୁ ମୁକୁଳିବାକୁ ହେବ। ଏତେ ଅନିଶ୍ଚିତତା ସତ୍ତ୍ୱେ ଏଭଳି ସ୍ଥିତି ସବୁବେଳେ ରହିବ ନାହିଁ। ୪ଟି କରୋନା ଭୂତାଣୁ ସଂକ୍ରମିତ ହୋଇଚାଲିଛି, ଯେଉଁଥିପାଇଁ ସାଧାରଣ ଥଣ୍ଡା ରୋଗ ସୃଷ୍ଟି ହେଉଛି। ଏହି ଭୂତାଣୁ ପଞ୍ଚମରେ ପରିଣତ ହେବ ଏବଂ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢ଼ିବା ସହ ଏହାର ପ୍ରଭାବ କମିଯିବ ବୋଲି ଅଧିକାଂଶ ବିଶେଷଜ୍ଞ ଚିନ୍ତା କରୁଛନ୍ତି।
ଶିକାଗୋ ବିଶ୍ୱବିଦ୍ୟାଳୟର ମହାମାରୀ ବିଜ୍ଞାନୀ ତଥା ବିବର୍ତ୍ତନବାଦୀ ଜୀବବିଜ୍ଞାନୀ ସାରାହ କୋବେଙ୍କ କହିବା ଅନୁଯାୟୀ କରୋନା ଭୂତାଣୁ ରହିବ। ପ୍ରଶ୍ନ ହେଉଛି, ଏହା ସହ ଆମେ କିପରି ସୁରକ୍ଷିତ ରହିବା। ଏଥିପାଇଁ ବିସ୍ତୃତ ଭାବେ ଚିନ୍ତା କରିବା ସହ ଦୀର୍ଘମିଆଦୀ ଉଦ୍ୟମ ଓ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ରହିଛି। ଭୂତାଣୁକୁ ମୂଳପୋଛ କରିବା ପାଇଁ କିଛି ଦଶନ୍ଧି ଲାଗିଯାଇପାରେ। ଏଥିପାଇଁ ସମୟ, ଅର୍ଥ ସହ ସର୍ବୋପରି ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସ୍ବଳ୍ପ ମିଆଦୀ ପଦକ୍ଷେପ ନୁହେଁ, ଆମକୁ ବିସ୍ତୃତ ରଣକୌଶଳ ଆପଣାଇବାକୁ ହେବ ବୋଲି ସେଣ୍ଟରସ୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନର ପୂର୍ବତନ ନିର୍ଦ୍ଦେଶକ ଟମ୍‌ ଫ୍ରିଡେନ୍‌ କହିଛନ୍ତି।

Share