ଟିକା ଦେବାକୁ ନେଇ ଫେରାଇଲେ ମୃତଦେହ: ଶିଶୁ ବଦଳ ଅଭିଯୋଗରେ ପିଆର୍‌ଏମ୍‌ ମେଡିକାଲରେ ଉତ୍ତେଜନା

ବାରିପଦା ଅଫିସ, ୧୨।୫: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଶିଶୁ ପୁତ୍ର ବଦଳ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଭାବକଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ଗତ ଏପ୍ରିଲ ୨୬ରେ ବାରିପଦା ସଦର ଥାନା ଅନ୍ତର୍ଗତ ଜାମବଣି ଗ୍ରାମର କାର୍ତ୍ତିକ ସିଂଙ୍କ ସ୍ତ୍ରୀ ରଇବାରୀଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡ଼ିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରଇବାରୀ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ନବଜାତ ଶିଶୁ ଜନ୍ମ ସମୟରେ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନାର ଏସ୍‌ଏନ୍‌ସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ମେଡିକାଲରେ ରହିବା ପରେ ଶିଶୁଟି ସୁସ୍ଥ ହେବାରୁ ମେ’ ୫ ତାରିଖରେ ମା’ ଓ ଛୁଆଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ଶିଶୁ ପୁତ୍ରକୁ ଟିକା ଦେବା ନେଇ ସୋମବାର ଦମ୍ପତିଙ୍କୁ ଫୋନ୍‌କରି ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଦିନ ୪ଟାରେ କାର୍ତ୍ତିକ ସ୍ତ୍ରୀ ରଇବାରୀ ଓ ଶିଶୁକୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀ ଦମ୍ପତିଙ୍କଠାରୁ କିଛି କାଗଜପତ୍ରରେ ଦସ୍ତଖତ କରାଇବା ସହ ଶିଶୁଟିର ସମସ୍ତ ପୋଷାକ ଖୋଲି ଭିତରକୁ ନେଇଯାଇଥିଲେ। କିଛି ସମୟ ପରେ ଶିଶୁର ମୃତ୍ୟୁ ଘଟିଥିବା କହିଥିଲେ। ପରେ ଅନ୍ୟ ଏକ ମୃତ ଶିଶୁପୁତ୍ରକୁ ଦମ୍ପତିଙ୍କୁ ଦେଇଥିଲେ। ମୃତ ଶିଶୁକୁ ମେଡିକାଲ କର୍ତ୍ତୃପକ୍ଷ ବଦଳ କରିଦେବା ଅଭିଯୋଗ ଆଣି ପରିବାର ଲୋକ ଡାକ୍ତରଖାନା ସମ୍ମୁଖରେ ହୋହାଲ୍ଲା କରିଥିଲେ। ଏ ନେଇ କାର୍ତ୍ତିିକ ଟାଉନ ଥାନାରେ ଅଭିଯୋଗ କରିବା ପରେ ମଙ୍ଗଳବାର ସକାଳୁ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

Share