ଟିକ୍‌ଟକ୍‌କୁ ବ୍ୟାନ୍‌ କଲା ଆମେରିକା ସେନା

ଓ୍ବାଶିଂଟନ୍‌,୧ା୧: ପପୁଲାର ଚାଇନିଜ୍‌ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଆମେରିକା ସେନା ନିଷିଦ୍ଧ କରିଛି। ଏଣିକି ଆମେରିକା ସେନା ଏହାକୁ ଆଉ ବ୍ୟବହାର କରିପାରିବେ ନାହିଁ। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି ନିଷ୍ପତ୍ତି ନେଇଛି। ଆମେରିକା ସେନାର ମୁଖପାତ୍ର ଟିକ୍‌ଟକ୍‌କୁ ସାଇବର ଥ୍ରେଟ୍‌ ବୋଲି କହିଛନ୍ତି। ଏନେଇ ଆମେରିକାରେ ଟିକ୍‌ଟକ୍‌ ଆପ୍‌ର ଯାଞ୍ଚ ଚାଲିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗତ ଡିସେମ୍ବରରେ ଆମେରିକା ନୌସେନା ମଧ୍ୟ ଟିକ୍‌ଟକ୍‌ ଉପରେ କଟକଣା ଲଗାଇଥିଲା। ଏଥିସହ ମୋବାଇଲରେ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭାରତରେ ଟିକ୍‌ଟକ୍‌ର କଣ୍ଟେଣ୍ଟକୁ ନେଇ ବ୍ୟାନ୍‌ କରାଯାଇଥିଲା। ମାଡ୍ରାସ୍‌ ହାଇକୋର୍ଟ ଏହି ଆପ୍‌କୁ ବ୍ୟାନ କରିବା ସହ ଏହା ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ଟିକ୍‌ଟକ୍‌ ଏଭଳି ଏକ ଭିଡିଓ ଆପ୍‌, ଯାହାକି କମ୍‌ ସମୟ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇପାରିଛି। ତେବେ ଟିକ୍‌ଟକ୍‌ ଯେଉଁଭଳି ଭାବେ ଆଗକୁ ବଢୁଛି, ଭବିଷ୍ୟତରେ ଏହା ଫେସବୁକ୍‌କୁ କଡା ଟକ୍କର ଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Share