ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ଘଟଣା: ନାବାଳିକାଙ୍କୁ ଅଟକ ରଖିଲା ସିଂହଦ୍ୱାର ପୋଲିସ

ପୁରୀ ଅଫିସ, ୩୧।୧୦: ଶ୍ରୀମନ୍ଦିର ଭିତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ସିଂହଦ୍ୱାର ପୋଲିସ ଜଣେ ନାବାଳିକାଙ୍କୁ ଅଟକ ରଖିଛି।

ଗତ ୨୮ତାରିଖରେ ଶ୍ରୀମନ୍ଦିର ଭୋଗମଣ୍ଡପ ସମ୍ମୁଖ ଭାଗ ଏବଂ ଆନନ୍ଦ ବଜାରର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ପୋଲିସ ଗୁରୁତ୍ୱର ସହ ନେଇଥିବା ବେଳେ ବୁଧବାର ରାତିରେ ନିମାପଡ଼ା ଅଞ୍ଚଳରୁ ସମ୍ପୃକ୍ତ ନାବାଳିକାଙ୍କୁ ଧରି ଆଣି ଅଟକ ରଖି ପଚରାଉଚରା କରୁଛି। ତେବେ ପୋଲିସ ଟିକ୍‌ଟକ୍‌ ଆକାଉଣ୍ଟ ଆଧାରରେ ନାବାଳିକାଙ୍କୁ ଚିହ୍ନଟ କରିଥିଲା। ନାବାଳିକାଙ୍କ ସହ ତାଙ୍କ ମା’ବାପାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ସିଂହଦ୍ୱାର ଥାନାରେ ୨୯୫(ଏ), ୬୬ ଆଇଟି ଆକ୍ଟ, ୩୦ ଆନ୍‌ସିଏଣ୍ଟ ଆକ୍ଟ ଏବଂ ଶ୍ରୀମନ୍ଦିର ଆଇନ ୩୦(ଏ)ରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଭିଡିଓ ଭାଇରାଲ ନେଇ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ନିଜର ଦୋଷ ସ୍ବିତାର କରିବା ସହ କ୍ଷମାପ୍ରାର୍ଥନା କରିଥିଲେ। ମାତ୍ର ପୋଲିସ ବୁଧବାର ନିମାପଡ଼ାରେ ଚାଲିଥିବା ଅଭିମନ୍ୟୁର ଚକ୍ରବ୍ୟୁହ ନାମକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତାଙ୍ଗନା ହିସାବରେ ଯୋଗଦେଇଥିବା ବେଳେ ପୋଲିସ ପହଞ୍ଚି ତାଙ୍କୁ ପଚରାଉଚରା ଲାଗି ନେଇ ଆସିଥିଲେ। ହେଲେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛନ୍ତି।

Share