Advertisement
Categories: ବାଣିଜ୍ୟ

ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଲା

ଚେନ୍ନାଇ,୨୫-୪: ଲୋକପ୍ରିୟ ଭିଡ଼ିଓ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ ହଟିଯାଇଛି। ବୁଧବାର ଜଷ୍ଟିସ ଏନ.କିରୁବାକରନ ଏବଂ ଜଷ୍ଟିସ ଏସ୍‌.ଏସ୍‌. ସୁନ୍ଦରଙ୍କୁ ନେଇ ଗଠିତ ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଏହି ବ୍ୟାନକୁ ହଟାଇ ଦେଇଛନ୍ତି। ପିଲାମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ଅଦାଲତ ଚିନ୍ତିତ ଥିବା କାରଣରୁ ଟିକ୍‌ଟକ୍‌କୁ ସାମୟିକ ବ୍ୟାନ କରାଯାଇଥିଲା ବୋଲି ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି। ତେବେ ଏହି ଆପ୍‌ ତିଆରି କରିଥିବା ମୂଳ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ ଏହାକୁ ଅଦାଲତ ଅବମାନନା ବୋଲି ଧରାଯିବ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ମାମଲାର ଶୁଣାଣି ବେଳେ ଟିକ୍‌ଟକର ମୂଳ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଏହି ଆପ୍‌ରେ ଦିଆଯାଉଥିବା କଣ୍ଟେଣ୍ଟକୁ ରୋକିବା ଲାଗି ଯଥେଷ୍ଟ ବ୍ୟବସ୍ଥା ରହିଛି। ଏଥିରେ ଯୌନ ଉତ୍ତେଜନାକାରୀ ଭିଡ଼ିଓ ଅପ୍‌ଲୋଡ କରାଯାଇପାରିବ ନାହିଁ। ସୂଚନାଥାଉ କି, ଟିକ୍‌ଟକ୍‌ ଉପରୁ ବ୍ୟାନ ହଟାଇବା ନେଇ ନିଷ୍ପତ୍ତି ନେବା ଲାଗି ମାଡ୍ରାସ ହାଇକୋର୍ଟଙ୍କୁ ସର୍ବୋଚ୍ଚ ଅଦାଲତ ବୁଧବାର ପର୍ଯ୍ୟନ୍ତ ସମୟ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଥିଲା। ବୁଧବାର ନିଷ୍ପତ୍ତି ପରେ ଏହା ପୁନର୍ବାର ଡାଉନଲୋଡ କରାଯାଇପାରିବ। ତେବେ ପୂର୍ବରୁ ଡାଉନଲୋଡ କରିଥିବା ବ୍ୟକ୍ତିବିଶେଷ ଏହାକୁ ନିର୍ଭୟରେ ବ୍ୟବହାର କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share