ଟିପ୍ପର ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା, ଦୁଇ ଭାଇ ଗିରଫ

ଧର୍ମଶାଳା/ଜେନାପୁର,୨୧ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଳରାମପୁର ଛକଠାରେ ଟିପ୍ପର ଧକ୍କାରେ ତଳଗଡ଼ ଗ୍ରାମର ପ୍ରଦୀପ ମଲିକଙ୍କ ମୃତ୍ୟୁ ମାମଲାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ତଳଗଡ଼ ପଥୁରିଆ ସାହିର ଶ୍ରୀଧର ମଲିକ ଓ ତାଙ୍କ ସାନ ଭାଇ ଜଳଧର ମଲିକ। ଶନିବାର ପୋଲିସ ଶ୍ରୀଧରଙ୍କୁ ସମ୍ବଲପୁର ଜିଲା ରେଢାଖୋଲ ଓ ଜଳଧରଙ୍କୁ ଖୋର୍ଦ୍ଧା ଜିଲା ତାପଙ୍ଗରୁ ଗିରଫ କରିଥିଲା। ଉଭୟେ ପୂର୍ବ ଶତ୍ରୁତାକୁ ନେଇ ପ୍ରଦୀପଙ୍କୁ ଠେଙ୍ଗାରେ ବାଡେଇବା ପରେ ଟିପ୍ପର ଚଢ଼ାଇ ମାରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ରବିବାର ବଡ଼ଚଣା ଥାନାରେ ଏସ୍‌ଡିପିଓ କେଦାରନାଥ ସାହୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ପ୍ରଦୀପଙ୍କ ଭାଇ ରାମଚନ୍ଦ୍ର ଏବଂ ଶ୍ରୀଧର ଓ ଜଳଧରଙ୍କ ମଧ୍ୟରେ କୌଣସି କାରଖରୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ପଦୀପ ପହଞ୍ଚତ୍ ଶ୍ରୀଧର ଓ ଜଳଧରଙ୍କୁ ବିରୋଧ କରିଥିଲେ। ଏହାପରଠୁ ଅଭିଯୁକ୍ତ ଦ୍ୱୟ ପ୍ରଦୀପଙ୍କୁ ମାରିବା ପାଇଁ ଯୋଜନା କରିଥିଲେ। ଗତ ୧୩ ତାରିଖରେ ପ୍ରଦୀପ ଗ୍ରାମ ରାସ୍ତାରେ ସାଇକେଲ ନେଇ ଆସୁଥିବାବେଳେ ଉଭୟ ଶ୍ରୀଧର ଓ ଜଳଧର ତାଙ୍କୁ ବାଡ଼େଇବା ସହ ଟିପ୍ପର ଚଢାଇ ଦେଇଥିବା ପୋଲିସ କହିଛି। ଏ ନେଇ ଉଭୟଙ୍କୁ ମାମଲା (ନଂ.୨୪୦/୧୯)ରେ ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି। ପ୍ରକାଶ ଯେ, ଗତ ୧୩ ତାରିଖ ରବିବାର ପ୍ରଦୀପଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ସୋମବାର ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ସ୍ଥାନୀୟ ଲୋକେ ବଳରାମପୁର ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, କଳିଙ୍ଗନଗର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା ଓ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ସହ ଆର୍ଥତ୍କ ସହାୟତା କରିଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡିକୁ ପୋଲିସ ଜବତ କରି ତଦନ୍ତ ଚଳାଇଥିଲା।