ଟିଭି କିଣି ଆସିଥିବା ଲୋକଙ୍କ ଭିଡ଼କୁ ଦେଖି ଶେଷରେ ପୋଲିସ ଡାକିଲେ ମାଲିକ

ଯଦି କୌଣସି ବ୍ରାଣ୍ଡର ଦାମିକିଆ ଟିଭି ଶସ୍ତାରେ ମିଳିଯାଏ, ତେବେ କେହି ତାକୁ ହାତଛଡ଼ା କରିବାକୁ ଚାହିଁବେନି। ଆହୁରି ଗୋଟିଏ ଜାଗାରେ ୪-୪ଟି ଟିଭି କିଣିବେ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସରେ। ସହରର ଏକ ସପିଂ ମଲ୍‌ରେ ୩୧୫୦୦ଟଙ୍କାର ଏଲ୍‌ଇଡି ଟିଭି ୨୪୫୦ଟଙ୍କାରେ ମିଳୁଥିବା ନେଇ ଏକ ଗୁଜବ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ଟିଭିର ମୂଲ୍ୟ ଓ ଦୋକାନର ଠିକଣା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। କିଛି ସମୟ ପରେ ଶସ୍ତା ଟିଭି କିଣିବା ପାଇଁ ଦୋକାନରେ ଲୋକଙ୍କ ଭିଡ଼ ଜମିଯାଇଥିଲା।

ମଲ୍‌ ପହଞ୍ଚି ଲୋକମାନେ ଗୋଟିଏ ନୁହେଁ ବରଂ ୪-୪ଟି ଟିଭି ନେଇ କାଉଣ୍ଟର ପାଖରେ ହାଜର ହୋଇଯାଇଥିଲେ। ଯେତେବେଳେ ମଲ୍‌ର କର୍ମଚାରୀ ତାଙ୍କୁ ଗୋଟିଏ ଟିଭିର ମୂଲ୍ୟ ପ୍ରାୟ ୩୨ହଜାର ଟଙ୍କା ବୋଲି କହିଥିଲେ ସେତେବେଳେ ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଗ୍ରାହକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏଥିସହ ଶସ୍ତାରେ ଟିଭିକୁ ଦେବା ପାଇଁ ଜିଦ୍‌ ଧରିଥିଲେ। ଅପରପକ୍ଷେ ଶସ୍ତାରେ ଟିଭି କିଣିବା ପାଇଁ ଲୋକଙ୍କ ଭିଡ଼ ଜମିବା ଦେଖି ମଲ୍‌ ମାଲିକ ଶେଷରେ ବାଧ୍ୟ ହୋଇ ପୋଲିସକୁ ଡକାଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୋକାନ ମାଲିକଙ୍କ ସହ ଗ୍ରାହକଙ୍କୁ ବୁଝାସୁଝା କରିଥିଲେ। ପ୍ରାଇସ୍‌ ବୋର୍ଡରେ ଲୋଖାଯାଇଥିବା ଟିଭିର ମୂଲ୍ୟ ଭୂଲରେ ଲେଖାଯାଇଛି ବୋଲି କହିଥିଲେ। ହେଲେ ଗ୍ରାହକମାନେ କିଛି ନ ବୁଝି ଶସ୍ତାରେ ଟିଭି ଦେବାକୁ ଜିଦ୍‌ କରିଥିଲେ। ଶେଷରେ ପୋଲିସ ଗ୍ରାହକଙ୍କୁ ମଲ୍‌ ଖାଲି କରିବାକୁ ଚେତାବନୀ ଦେଇଥିଲା। ଯାହାର ଏକ ଘଣ୍ଟା ପରେ ମଲ୍‌ରୁ ଧୀରେ ଧୀରେ ଗ୍ରାହକ ଖାଲି ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସ ସହରର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି।

Share