Categories: ବାଣିଜ୍ୟ

ଟିଭି ଚ୍ୟାନେଲ ଷ୍ଟ୍ରିମିଂ କରୁଥିବା ଆପ୍ସକୁ ନିୟନ୍ତ୍ରିତ କରିବ ଟ୍ରାଇ

ନୂଆଦିଲ୍ଲୀ,୧୮-୫: ଟିଭି ଚ୍ୟାନେଲଗୁଡ଼ିକର ଲାଇଭ ଷ୍ଟ୍ରିମିଂ କରୁଥିବା ଆପ୍ସଗୁଡ଼ିକୁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ନିୟନ୍ତ୍ରିତ କରିବ। ଏସୂଚନାଥାଉ କି, ହଟ୍‌ଷ୍ଟାର୍‌, ଏୟାରଟେଲ ଟିଭି, ଜିଓ ଟିଭି, ସୋନୀ ଲାଇଭ୍‌, ଏମ୍‌ଏକ୍ସ ପ୍ଲେୟାର, ଜି୫ ଭଳି ଆପ୍ସ ଲାଇଭ ଷ୍ଟ୍ରିମିଂ ଅର୍ଥାତ୍‌ ସିଧାପ୍ରସାରଣ କରିଥାଏ। ବ୍ରଡକାଷ୍ଟିଂ କମ୍ପାନୀଙ୍କ ଭଳି ସେମାନଙ୍କୁ ମଧ୍ୟ ଏବେଠାରୁ ଲାଇସେନ୍ସ ନେବାକୁ ହେବ। ବର୍ତ୍ତମାନ ମାଗଣାରେ ଉକ୍ତ ମୋବାଇଲ ଆପ୍ସ ଜରିଆରେ ଟିଭି ଚ୍ୟାନେଲଗୁଡ଼ିିକର ଲାଇଭ ଷ୍ଟ୍ରିମିଂ କରାଯାଉଛି। ଏହି ଆପ୍ସଗୁଡ଼ିକ ଉପରେ ଟ୍ରାଇର କୌଣସି ନିୟନ୍ତ୍ରଣ ନାହିଁ। ବ୍ରଡକାଷ୍ଟିଂ କମ୍ପାନୀ ନିଜର କଣ୍ଟେଣ୍ଟକୁ କେବୁଲ ଅପରେଟର ଅଥବା ଡିଟିଏଚ୍‌ କମ୍ପାନୀ ଜରିଆରେ ବ୍ରଡ଼୍‌କାଷ୍ଟିଂ ଅଥବା ପ୍ରସାରଣ କରିପାରିବେ। ଏଥିପାଇଁ ସେମାନଙ୍କୁ ଲାଇସେନ୍ସ ଦିଆଯାଇଛି ବୋଲି ଟ୍ରାଇ ଯୁକ୍ତିବାଢ଼ିଛି। ତେବେ ମୋବାଇଲ ଆପ୍ସ ଭଳି ତୃତୀୟ ପାର୍ଟି ଏଭଳି ସିଧା ପ୍ରସାରଣ ପ୍ରଦର୍ଶନ କରିବା ବୈଧ ନୁହେଁ। ଏ ସଂକ୍ରାନ୍ତରେ ଟ୍ରାଇ ଜୁଲାଇ-ଅଗଷ୍ଟରେ ଏକ ଡ୍ରାଫ୍ଟ ଜାରି କରିବ ଏବଂ ଲୋକଙ୍କ ଠାରୁ ପରାମର୍ଶ ଆହ୍ବାନ କରିବ। ତେବେ ମୋବାଇଲ ଆପ୍ସ ଚଳାଉଥିବା କମ୍ପାନୀଗୁଡ଼ିକ ଏହାକୁ ବିରୋଧ କରିଛନ୍ତି। ଟ୍ରାଇ ଏଭଳି କରିପାରିବ ନାହିଁ ବୋଲି ସେମାନେ କହୁଛନ୍ତି। କାରଣ ଟ୍ରାଇକୁ ଏଭଳି କୌଣସି ଅଧିକାର ମିଳିନାହିଁ। ଏଭଳି ଆପ୍ସ ଆଇଟି ଆଇନ ଅଧୀନରେ ଆସୁଛି।

Share