Categories: ଖେଳ

ଟିମ୍‌ ଇଣ୍ଡିଆର ବିଜୟ ଅଭିଯାନ

ମହିଳା ଟି୨୦ ବିଶ୍ୱକପ୍‌:
ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଇଭେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତୀୟ ଦଳ ୧୭ ରନ୍‌ରେ ଆୟୋଜକ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ଭାରତୀୟ ଦଳ ପକ୍ଷରୁ ଧାର୍ଯ୍ୟ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ଆଗରେ ଅଷ୍ଟ୍ରେଲିଆ ୧୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ୨୪ ତାରିଖରେ ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୪ ଓଭରରେ ୪୦ ରନ୍‌ ଯୋଡ଼ିଥିଲେ। ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ହରାଇଥିଲା। ଏଭଳି ସଙ୍କଟ ଜନକ ସ୍ଥିତିରେ ଜେମିମା ରୋଡ୍ରିଗୁଏଜ ଓ ଦୀପ୍ତି ଶର୍ମା ଧିମା ବ୍ୟାଟିଂ କରିଥିଲେ। ଉଭୟ ବ୍ୟାଟ୍ସଓମ୍ୟାନ ଚତୁର୍ଥ ଉଇକେଟ ପାଇଁ ୫୩ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇ ଥିଲେ। ରୋଡ୍ରିଗୁଏଜ ୨୬ ରନ୍‌ କରି ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ଏହାପରେ ବଳକା ୪ ଓଭରରେ ଭାରତୀୟ ଦଳ ମାତ୍ର ୩୨ ରନ୍‌ କରିପାରିଥିଲା। ଫଳରେ ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦୀପ୍ତି ୪୯ ଓ ବେଦ କ୍ରିଷ୍ଣମୂର୍ତ୍ତି ୯ ରନ୍‌ କରି ଅପରାଜିତ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଜେସ ଜୋନାସେନ ଦୁଇଟି ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୯.୫ ଓଭରରେ ୧୧୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। କେବଳ ଆଲିସା ହେଲି ୫୧ ଓ ଆଶଲେ ଗାର୍ଡନର (୩୪)ଙ୍କୁ ଛାଡ଼ି ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ପୁନମ ଯାଦବ ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ଶିକ୍ଷା ପାଣ୍ଡେ ୩ ଉଇକେଟ ନେଇଥିଲେ।

Share