Categories: ଖେଳ

ଶ୍ରେୟାସଙ୍କ ସ୍ଥାନ ପକ୍କା

ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିଛି। ଆୟାର ୨୦୧୬ ରଣଜୀ ଟ୍ରଫିରେ ୧୧ ମ୍ୟାଚ୍‌ରୁ ୧୩୮୧ ରନ୍‌ କରିଥିଲେ। ରଣଜୀର ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହାସତ୍ତ୍ୱେ ସେହିବର୍ଷ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଏଥିରେ ସେ ନିରାଶ ହୋଇ ଫୋନକୁ କଚାଡ଼ି ଭାଙ୍ଗି ଦେଇଥିଲେ। ପ୍ରାୟ ୪ ବର୍ଷ ପରେ ତାଙ୍କୁ ଚୟନ କରା ନ ଯିବାର କାରଣ ପ୍ରକାଶ କରିଛନ୍ତି ସେତେବେଳେ ମୁଖ୍ୟ ଚୟନକର୍ତ୍ତା ପଦରେ ଥିବା ସନ୍ଦୀପ ପାଟିଲ। ରଣଜୀ ଓ ଅନ୍ତର୍ଜାତୀୟ କ୍ରିକେଟ ମଧ୍ୟରେ ବଡ଼ ଗ୍ୟାପ ରହିଛି। ରଣଜୀରେ ରନ୍‌ କରୁଥିବା ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରୁ ନାହାନ୍ତି। ପୂର୍ବତନ କ୍ରିକେଟର ସନ୍ଦୀପ ପଞ୍ଜାବ ଓପନର ଜୀବନଜ୍ୟୋତ୍‌ ସିଂଙ୍କ ଉଦାହରଣ ଦେଇଛନ୍ତି। ଜୀବନଜ୍ୟୋତ୍‌ ପ୍ରଥମ ରଣଜୀ ସିଜନରେ ବହୁ ରନ୍‌ କରିଥିଲେ। କିନ୍ତୁ ଭାରତ ଏ’ ପାଇଁ ଖେଳିଲାବେଳେ ତାଙ୍କ ପ୍ରଦର୍ଶନ ନିମ୍ନମାନର ଥିଲା। ସମାନ ଘଟଣା ଅଭିନବ ମୁକୁନ୍ଦ, ସଚିନ ବେବି, ମନଦୀପ ସିଂଙ୍କ ଭଳି ଆହୁରି ଖେଳାଳିଙ୍କ କ୍ଷେତ୍ରରେ ଘଟିଛି। ଏଣୁ ଚୟନକର୍ତ୍ତାମାନେ ଅପେକ୍ଷା କରି ଖେଳାଳିଙ୍କୁ ଆଉ ଗୋଟେ ସିଜନ ଦେବା ଦରକାର।

Share