Categories: ଖେଳ

ଟିମ୍‌ ଇଣ୍ଡିଆ ଉପସ୍ଥିତରେ ହେବ କୋହଲି ଷ୍ଟାଣ୍ଡ ଉନ୍ମୋଚନ

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଗୁରୁବାର ସ୍ଥାନୀୟ ଫିରୋଜ ଶାହ କୋଟଲାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ ଷ୍ଟାଣ୍ଡ ଉନ୍ମୋଚିତ କରିବ। ଏହି ଅବସରରେ ଭାରତୀୟ ଦଳର ସଦସ୍ୟମାନେ ଉପସ୍ଥିତ ରହିବେ। ଟିମ୍‌ ଇଣ୍ଡିଆର ଖେଳାଳିମାନେ ପ୍ରଥମ ଟି୨୦ ପାଇଁ ଧର୍ମଶାଳା ଗସ୍ତ ପୂର୍ବରୁ ଦିଲ୍ଲୀଠାରେ ଗୁରୁବାର ଏକତ୍ରିତ ହେବେ। କୋହଲିଙ୍କ ନେତୃତ୍ୱାଧୀନ ଦଳ ରବିବାର କୁଇଣ୍ଟନ ଡି’ କକ୍‌ଙ୍କ ଦଳ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ। ଅବଶିଷ୍ଟ ଦୁଇଟି ଟି୨୦ ମ୍ୟାଚ୍‌ ୧୮ ତାରିଖରେ ମୋହାଲି ଓ ୨୨ ତାରିଖରେ ବେଙ୍ଗାଲୁରୁଠାରେ ଖେଳାଯିବ। ବିଶ୍ୱକପ୍‌ ବିଫଳତା ପରେ ଦକ୍ଷିଣ ଆଫ୍ରିକା ଦଳ ନୂଆ ଆରମ୍ଭ ପାଇଁ ଲକ୍ଷ୍ୟ ରଖିଛି। ନିୟମିତ ଅଧିନାୟକ ଫାଫ ଡୁ’ପ୍ଲେସିଙ୍କ ବଦଳରେ ଡି’କକ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ବିଶ୍ରାମ ଦିଆଯାଇଥିବା ଭାରତୀୟ ଦଳର ସିନିୟର ପେସର ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ଭୁବନେଶ୍ୱର କୁମାର ଫେରିବାକୁ ଯାଉଛନ୍ତି।

Share