Categories: ଖେଳ

ଟିମ୍‌ ଇଣ୍ଡିଆ କୋଚ୍‌ ପଦ ଦୌଡ଼ରୁ ସିମନ୍ସ ଓହରିଲେ

ମୁମ୍ବାଇ,୧୬।୮: ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଓପନର ଫିଲ ସିମନ୍ସ ଶୁକ୍ରବାର ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦ ଦୌଡ଼ରୁ ନିଜ ଆଡ଼ୁ ଓହରି ଯାଇଛନ୍ତି। ଫଳରେ ଟିମ୍‌ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଦୌଡ଼ରେ ଆଉ ମାତ୍ର ୫ ଆବେଦନକାରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ରବିନ ସିଂ, ଲାଲଚାନ୍ଦ ରାଜପୁତ ଓ ଟମ ମୁଡିଙ୍କ ସାକ୍ଷାତ୍‌କାର କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ନେଇସାରିଛି। ଭାରତୀୟ ପ୍ରାର୍ଥୀ ରବିନ ଓ ଲାଲଚାନ୍ଦ ବ୍ୟକ୍ତିଗତ ଭାବେ ସୁବରବନ ହୋଟେଲରେ ଉପସ୍ଥିତ ରହି ସିଏସିକୁ ସକ୍ଷାତ୍‌କାର ଦେଇଛନ୍ତି। ସେହିଭଳି ଟମ ମୁଡି ସ୍କାଇପି ଜରିଆରେ ଅଷ୍ଟ୍ରେଲିଆରୁ ସାକ୍ଷାତ୍‌କାର ଦେଇଛନ୍ତି। ସାକ୍ଷାତ୍‌କାର ପରେ ମୁଁ ଦୃଢ଼ ନିଶ୍ଚିତ ଅଛି ବୋଲି ୨୦୦୭ ପ୍ରଥମ ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ମ୍ୟାଜେନର ରାଜପୁତ କହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ଫିଲ୍ଡିଂ କୋଚ୍‌ ରବିନ ଇଣ୍ଟରଭ୍ୟୁ ଭଲ ହୋଇଥିବା ସୂଚନା ଦେଇଛନ୍ତି। ବର୍ତ୍ତମାନ କୋଚ୍‌ ପଦରେ ଥିବା ରବି ଶାସ୍ତ୍ରୀ ଅନ୍ତିମ ପ୍ରାର୍ଥୀ ଭାବେ ସନ୍ଧ୍ୟା ୫.୩୦ରେ ସାକ୍ଷାତ୍‌କାର ଦେବେ।

Share