Posted inଖେଳ

ଟିମ ଇଣ୍ଡିଆର ଭବିଷ୍ୟତ କ୍ରିକେଟର

ଓ୍ବେଷ୍ଟଇଣ୍ଡିଜ ମାଟିରେ ଉଭୟ ଦିନିକିଆ ଓ ଟି୨୦ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ। ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି। ଭାରତର ବେଞ୍ଚ୍‌ଷ୍ଟ୍ରେନ୍ଥ ଦୃଢ଼ଥିବା ଏଥିରୁ ପ୍ରମାଣିତ ହୋଇଛି। ଯୁବ ଖେଳାଳିଙ୍କ ତାଲିକା କ୍ରମେ ଲମ୍ବିବାରେ ଲାଗିଛି…..

ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଗତି କରୁଛି ଟିମ୍‌ ଇଣ୍ଡିଆ। ବର୍ତ୍ତମାନ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଶେଷ କରିଛି। ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟର ବିରାଟ କୋହଲି, ଇନ୍‌ଫର୍ମ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ପରି ସିନିୟର ଖେଳାଳି ବିଶ୍ରାମ ନେଇଥିଲେ ହେଁ ଭେଟେରାନ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ଯୁବଦଳ ପୂର୍ଣ୍ଣ ଶକ୍ତି ସମ୍ପନ୍ନ ଓ୍ବେଷ୍ଟଇଣ୍ଡିଜକୁ କାରିବିୟନ ମାଟିରେ ଚକ୍‌ମା ଦେଇ ଦିନିକିଆ ସିରିଜ ବିଜୟୀ ହେବାରେ ସକ୍ଷମ ହୋଇଛି। ଏହାଦ୍ୱାରା ଭାରତର ବେଞ୍ଚ୍‌ଷ୍ଟ୍ରେନ୍ଥ କେତେ ଶକ୍ତିଶାଳୀ ତାହା ପୁଣିଥରେ ପ୍ରମାଣିତ ହୋଇଛି। ପରେ ରୋହିତଙ୍କ ସମେତ ହାର୍ଦ୍ଦିକ ପ୍ରମୁଖଙ୍କ ପ୍ରତ୍ୟାବର୍ତ୍ତନ ସହ ଭାରତ ଟି୨୦ ସିରିଜକୁ ମଧ୍ୟ ଜିତିଛି।
ଗତ କିଛିଦିନ ତଳେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ୨୦୨୧ ଟେଷ୍ଟ ସିରିଜର ୫ମ ତଥା ଅନ୍ତିମ ମ୍ୟାଚ ଜିତି ଭାରତ ସିରିଜ ବିଜୟୀ ହେବାର ସୁବର୍ଣ୍ଣ ସୁଯୋଗ ରହିଥିଲା। ଭାରତର ଆରମ୍ଭ ମଧ୍ୟ ଭଲ ହୋଇଥିଲା। ମାତ୍ର ଏହି ଟେଷ୍ଟ ହାରି ଭାରତ ସିରିଜକୁ ୨-୨ରେ ଡ୍ର ରଖି ସନ୍ତୁଷ୍ଟ ହୋଇଥିଲା। ତେବେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ ଜିତିବାରେ ସକ୍ଷମ ହୋଇଥିଲା। ଟି୨୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜକୁ ୨-୨ରେ ସମାପ୍ତ କରିଥିବା ବେଳେ ଆୟର୍ଲାଣ୍ଡ ବିପକ୍ଷରେ ବିଜୟୀ ହୋଇଥିଲା। ଏହି ସମସ୍ତ ସିରିଜରେ ଭାରତୀୟ ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତା ଦେଖାଇଥିଲେ। ଆଗକୁ ରହିଛି ଏସିଆ କପ୍‌ ଏବଂ ଆଇସିସି ଟି୨୦ ବିଶ୍ୱକପ୍‌। ଦୀର୍ଘଦିନ ହେବ ଟିମ୍‌ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳିଙ୍କ ଉପରେ ବର୍ତ୍ତମାନ ଭାରତୀୟ କ୍ରିକେଟର ଭବିଷ୍ୟତ ନିର୍ଭର କରୁଛି। ସେମାନେ ନିଜର ପ୍ରଦର୍ଶନ ମାଧ୍ୟମରେ ବିସିସିଆଇର ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ସକ୍ଷମ ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶୁବମନ ଗିଲ୍‌, ଋତୁରାଜ ଗାଏକ୍ୱାର୍ଡ, ଦେବଦତ୍ତ ପଡିକଲ, ଇଶାନ କିଷନ, ଶ୍ରେୟସ ଆୟାର, ରିଷଭ ପନ୍ତ, ରିଆନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାଁ, ଉମ୍ରାନ ମଲିକ, କାର୍ତ୍ତିକ ତ୍ୟାଗୀ, ଦୀପକ ହୁଦା ଏବଂ ସୂର୍ଯ୍ୟକୁମାର ଯାଦବ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳିଙ୍କୁ ବିସିସିଆଇ କ୍ରିକେଟର ବିଭିନ୍ନ ଫର୍ମାଟରେ ସୁଯୋଗ ଦେଇସାରିଛି ଏବଂ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି।
ଭଲ ଫର୍ମରେ ନ ଥିଲେ ହେଁ ଏକମାସର ବ୍ରେକ୍‌ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି। ଏସିଆ କପ୍‌ ପାଇଁ ଘୋଷିତ ଦଳରେ ବିରାଟ ଏବଂ ଆହତ ସମସ୍ୟାରୁ ମୁକୁଳିଥିବା ଲୋକେଶ ରାହୁଲ ସ୍ଥାନ ପାଇଛନ୍ତି। ବାରମ୍ବାର ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଘଟଣାକୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ପରି ଖେଳାଳି ନାପସନ୍ଦ କରିଥିଲେ। ୨୦୨୧ ଟି୨୦ ବିଶ୍ୱକପ୍‌ ପରେ କୋହଲି ଟି୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ। ଏହାପରେ ରୋହିତ ଶର୍ମାଙ୍କୁ ଏହି ଫର୍ମାଟ ପାଇଁ ଅଧିନାୟକ କରାଯାଇଥିଲା। ୨୦୨୨ସିଜନ୍‌ ଆରମ୍ଭ ପୂର୍ବରୁ ବିରାଟ ୩ଟି ଯାକ ଫର୍ମାଟର ଅଧିନାୟକ ପଦରୁ ଓହରି ଯାଇଥିଲେ। ଏହା ପରେ ହିଟମ୍ୟାନ୍‌ ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ଏବଂ ରୋଟେଶନ ପଦ୍ଧତି ଅନୁସାରେ ବିସିସିଆଇ ଇତିମଧ୍ୟରେ ୭ ଜଣ ଅଧିନାୟକ ପରିବର୍ତ୍ତନ କରିସାରିଲାଣି।
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ବେଶ୍‌ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲେ ଭାରତୀୟ କ୍ରିକେଟପ୍ରେମୀ। ଯଦିଓ ଭାରତ ନିକଟ ଅତୀତରେ ଭଲ ପ୍ରଦର୍ଶନ କରୁଛି ତେବେ ଏକାଧିକ ଅଧିନାୟକ ନିଯୁକ୍ତ କରାଯିବାକୁ ଅନେକେ ଗ୍ରହଣ କରିପାରି ନ ଥିଲେ। ଗତ ଟି୨୦ ସିରିଜରେ ଇଂଲଣ୍ଡ ପରି ଶକ୍ତିଶାଳୀ ଦଳକୁ ହରାଇ ଭାରତୀୟ ଦଳ ନିଜର ଦକ୍ଷତା ଦେଖାଇଥିଲା। ଯୁବ ବ୍ୟାଟର ଦୀପକ ହୁଡା ଆକ୍ରମଣାତ୍ମକ ବ୍ୟାଟିଂ ମାଧ୍ୟମରେ ୪ର୍ଥ ଭାରତୀୟ ଖେଳାଳି ରୂପେ ଟି୨୦ରେ ଆୟର୍ଲାଣ୍ଡ ବିପକ୍ଷରେ ଶତକ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ସିରିଜରେ ମଧ୍ୟ ଭଲ ଖେଳିଥିଲେ। ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ପରୀକ୍ଷା ନିରୀକ୍ଷାକୁ ବ୍ୟାପକ କରାଯାଇଛି। ତେବେ ରଣଜୀ ଟ୍ରଫିରେ ସବୁଠାରୁ ସଫଳ ବ୍ୟାଟର ମୁମ୍ବାଇର ସର୍ଫରାଜ ଖାଁଙ୍କୁ ସୁଯୋଗ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଗତ କେତୋଟି ସିରିଜରେ ନୂଆନୂଆ ଅଧିନାୟକ ରହୁଥିବାରୁ ମୁଖ୍ୟ କୋଚ ରାହୁଲ ଦ୍ରାଭିଡଙ୍କୁ ବାରମ୍ବାର ରଣନୀତି ବଦଳାଇବାକୁ ପଡୁଛି। କୋଚପଦ ସମ୍ଭାଳିବା ପରଠାରୁ ଅଳ୍ପ ଦିନ ମଧ୍ୟରେ ସାତ ଜଣ ଅଧିନାୟକଙ୍କ ସହ କାମ କରିବା ନିଶ୍ଚିତ ରୂପେ କୋଚଙ୍କ ପାଇଁ କଠିନ ବ୍ୟାପାର। ଇଂଲଣ୍ଡ ବିପକ୍ଷ ଟି୨୦ ପାଇଁ ଅଧିନାୟକ ରୂପେ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରି ସିରିଜ ଜିତିବାରେ ସଫଳ ହୋଇଛନ୍ତି। ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବା ଭଲ କଥା। ମାତ୍ର ମାତ୍ରାଧିକ ପରୀକ୍ଷା ନୀରିକ୍ଷା ଦଳପାଇଁ ସବୁବେଳେ ଶୁଭଦାୟକ ହୋଇନାହିଁ। ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର ଓ ଦୀପକ ହୁଡାଙ୍କ ପରି ବ୍ୟାଟର ଏବଂ ମହମ୍ମଦ ସିରାଜ, ଅଭେଶ ଖାଁ, ଉମ୍ରାନ ମଲିକ, ରବି ବିଷ୍ଣୋଇ, କାର୍ତ୍ତିକ ତ୍ୟାଗୀଙ୍କ ପରି କ୍ୱାଲିଟି ବୋଲରଙ୍କ ଉପସ୍ଥିତିରେ ଭାରତର କ୍ରିକେଟ ଭବିଷ୍ୟତ ଉଜ୍ଜ୍ୱଳ ମନେ ହେଉଛି।
ବର୍ତ୍ତମାନ ଅନ୍ୟଦେଶ ମାନଙ୍କ ପରି ଲଙ୍ଗ୍‌ ଫର୍ମାଟ ଏବଂ ଶର୍ଟ ଫର୍ମାଟ ପାଇଁ ୨ଟି ଟିମ୍‌ ଏବଂ ଅଧିନାୟକରେ ବିଶ୍ୱାସ କରୁଛି ବିସିସିଆଇ। ଆଗକୁ ରହିଛି ଏସିଆ କପ୍‌, ଆଇସିସି ଟି୨୦ ବିଶ୍ୱକପ୍‌, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ। ଅନେକ ଗୁରୁତ୍ୱପୂର୍ଣ୍ଣ ସିରିଜ ଏବଂ
ଟୁର୍ନାମେଣ୍ଟ ଥିବାରୁ ସୁଯୋଗର ସଦ୍‌ବ୍ୟବହାର କରିପାରିଲେ ଯୁବ ଖେଳାଳିମାନେ ନିଶ୍ଚିତ ପ୍ରତିଷ୍ଠିତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri