Categories: ଖେଳ

ଟି୧୦ ଲିଗ୍‌ରେ ଖେଳିବେ ଯୁବି

ଦୁବାଇ,୨୪।୧୦- ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ (ଯୁବି) ଟି୧୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଖେଳିବାକୁ ଯାଉଛନ୍ତି। ତାଙ୍କୁ ମରାଠା ଆରବିଆନ୍ସ ଦଳରେ ସାମିଲ କରାଯାଇଛି। ଗତ ଜୁନରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଯୁବି ଦ୍ୱିତୀୟ ଥର ପାଇଁ ବିଶ୍ୱର କୌଣସି ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସ୍ବୀକୃତି ପ୍ରାପ୍ତ ଲିଗ୍‌ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେବ। ପୂର୍ବତନ ବାମହାତୀ ଷ୍ଟଇଲିସ ବ୍ୟାଟ୍ସମ୍ୟାନ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ଅବସରବେଳେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। କାରଣ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ଆଇପିଏଲ ଛଡ଼ା କୌଣସି ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ରେ ଖେଳିବାକୁ ଅନୁମତି ଦିଏ ନାହିଁ। ଅବସର ପରେ ୩୭ ବର୍ଷୀୟ ଅଲରାଉଣ୍ଡର କାନାଡର ଗ୍ଲୋବାଲ ଟି୨୦ ଲିଗ୍‌ରେ ଟରୋଣ୍ଟୋ ନ୍ୟାଶନାଲ୍ସ ପାଇଁ ଖେଳିଥିଲେ। ଏ ସମ୍ପର୍କରେ ଯୁବି କହିଛନ୍ତି, ଏହା ଏକ ନୂଆ ଫର୍ମାଟ। ମରାଠା ଆରବିଆନ୍ସ ଦଳରେ ବିଶ୍ୱର କିଛି ଶ୍ରେଷ୍ଠ ଖେଳାଳିଙ୍କ ସହ ଖେଳିବାକୁ ମୋତେ ସୁଯୋଗ ମିଳିବ। ଏଣୁ ମୁଁ ବହୁତ ଉତ୍ସାହିତ ଅଛି। ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ ଡ୍ବେନ ବ୍ରାଭୋ ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ଦଳର ନେତୃତ୍ୱ ନେବେ। ଏହି ଫ୍ରାଞ୍ଚାଇଜରେ ଶ୍ରୀଲଙ୍କା ଟି୨୦ ଦଳର ଅଧିନାୟକ ଲସିଥ ମାଲିଙ୍ଗା, ଆଫଗାନିସ୍ତାନର ନାଜିବୁଲା ଜର୍ଡାନ ଓ ହଜାରୁତୁଲା ଜଜାଇଙ୍କ ଭଳି ଖେଳାଳି ରହିଛନ୍ତି।

Share