Categories: ଖେଳ

ଟି୧୦ ଲିଗ୍‌: ଲିନଙ୍କ ରେକର୍ଡ

ଆବୁଧାବି,୧୯।୧୧- ଆବୁଧାବିରେ ଟି୧୦ ଲିଗ୍‌ର ତୃତୀୟ ସଂସ୍କରଣ ଏବେ ଖେଳାଯାଉଛି। ଏହି ଲିଗ୍‌ରେ ଅଷ୍ଟ୍ରେଲିଆ ଓପନର କ୍ରିସ ଲିନ ମରାଠା ଆରବିୟାନ୍ସ ପାଇଁ ଖେଳୁଛନ୍ତି। ସୋମବାର ଲିନ ବିସ୍ଫୋରକ ବ୍ୟାଟିଂ କରି ରେକର୍ଡ ଭଙ୍ଗ କରିଛନ୍ତି। ଟିମ୍‌ ଆବୁ ଧାବି ବିପକ୍ଷ ମ୍ୟାଚ୍‌ରେ ସେ ୩୦ ବଲରୁ ୯୧ ରନ୍‌ କରିଥିଲେ। ଏହା ଟି୧୦ ଫର୍ମାଟ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ରେକର୍ଡ ଇନିଂସରେ ୯ ଚୌକା ଓ ୭ ଛକା ସାମିଲ ଥିଲା। ସେ କେବଳ ବାଉଣ୍ଡ୍ରିରେ ୭୮ ରନ୍‌ କରିଥିଲେ। ଏଥିଯୋଗୁ ଆରବିୟାନ୍ସ ଦଳ ଧାର୍ଯ୍ୟ ୧୦ ଓଭରରେ ୨ ଉଇକେଟ ହରାଇ ୧୩୮ ରନ୍‌ କରିଥିଲା। ଜବାବରେ ଆବୁ ଧାବି ଦଳ ୩ ଉଇକେଟ ହରାଇ ୧୧୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ମରାଠା ଆରବିୟାନ୍ସ ଦଳ ୨୪ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ଏଥିପୂର୍ବରୁ ଏହି ଛୋଟିଆ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସଙ୍କ ନାମରେ ଥିଲା। ସେ ଗତ ସିଜନରେ ୩୨ ବଲରେ ୮୭ ରନ୍‌ କରିଥିଲା। ଉଲ୍ଲେଖଥାଉ କି, ଆଇପିଏଲରେ କେକେଆର ପାଇଁ ୪୧ ମ୍ୟାଚ୍‌ ଖେଳିଥିବା ଲିନ ୧୪୦ ଷ୍ଟ୍ରାଇକ ରେଟ୍‌ରେ ୧୨୮୦ ରନ୍‌ କରିଛନ୍ତି। ସେ ଡିସେମ୍ବର ୨୦ ତାରିଖରେ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟାର ସମ୍ମୁଖୀନ ହେବେ।

Share