Categories: ଖେଳ

ଟି୨୦ କ୍ରିକେଟ୍‌ରୁ ମିଥାଲିଙ୍କ ଅବସର

ନୂଆଦିଲ୍ଲୀ, ୩।୯ (ପି.ଟି.)- ଭାରତର ସିନିୟର ମହିଳା କ୍ରିକେଟର୍‌ ମିଥାଲି ରାଜ ମଙ୍ଗଳବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୨୧ ଆଇସିସି ବିଶ୍ୱକପ୍‌କୁ ନଜରରେ ରଖି ମିଥାଲି ୫୦ ଓଭର ବିଶିଷ୍ଟ କ୍ରିକେଟ୍‌ ଉପରେ ଫୋକସ୍‌ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି। ୩୬ ବର୍ଷୀୟା ମିଥାଲି ୩୨ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି। ଏହାମଧ୍ୟରେ ୨୦୧୨ (ଶ୍ରୀଲଙ୍କା), ୨୦୧୪ (ବାଂଲାଦେଶ) ଓ ୨୦୧୬ (ଭାରତ) ଆଇସିସି ଟି୨୦ ବିଶ୍ୱକପ୍‌ ସାମିଲ ରହିଛି। ‘୨୦୦୬ରୁ ଭାରତ ପକ୍ଷରୁ ଟି୨୦ରେ ପ୍ରତିନିଧିତ୍ୱ କରିବା ପରେ ୨୦୨୧ ଆଇସିସି ଦିନିକିଆ ବିଶ୍ୱକପ୍‌କୁ ନଜରରେ ରଖି ଏହି ଫର୍ମାଟ୍‌ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି’ ବୋଲି ଏହି ବରିଷ୍ଠ ଓପନର୍‌ ବ୍ୟାଟ୍ସଓମ୍ୟାନ କହିଛନ୍ତି।
କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋର କରିବାର ରେକର୍ଡ ମିଥାଲିଙ୍କ ନାମରେ ରହିଛି। ଏହି ଯୋଦ୍ଧପୁର କ୍ରିକେଟର୍‌ ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରି ମୋଟ୍‌ ୮୯ ମ୍ୟାଚ୍‌ରୁ ୩୭.୫ ଆଭରେଜରେ ୨୩୬୪ ରନ ସଂଗ୍ରହ କରିଛନ୍ତି। ଅପରାଜିତ ୯୭ ରନ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର ରହିଛି। ଶେଷଥର ପାଇଁ ଗତ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ସେ ତାଙ୍କର ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳିଥିଲେ। ମିଥାଲି ମଧ୍ୟ ପ୍ରଥମ ଭାରତୀୟ ମହିଳା କ୍ରିକେଟର୍‌ ଭାବେ କ୍ରିକେଟ୍‌ର ଏହି ଛୋଟିଆ ଫର୍ମାଟ୍‌ରେ ୨୦୦୦ ରନ୍‌ ଅତିକ୍ରମ କରିବାର ସୌଭାଗ୍ୟ ଲାଭ କରିଥିଲେ। ମିଥାଲି ମଧ୍ୟ ୨୦୩ ଦିନିକିଆ ମ୍ୟାଚ୍‌ ଖେଳି ୫୧.୨୯ ଆଭରେଜରେ ୬୭୨୦ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ ୭ଟି ଶତକ ସାମିଲ ରହିଛି। ଏଥିସହ ସେ ୧୦ ଟେଷ୍ଟ ମ୍ୟାଚ୍‌ ଖେଳି ୬୬୩ ରନ୍‌ କରିଛନ୍ତି।

Share