Categories: ଖେଳ

ଟି୨୦ ବିଶ୍ୱକପ୍‌ : ଅନ୍ତିମ ଦୁଇ ଦଳ ଭାବେ ଓମାନ, ସ୍କଟ୍‌ଲାଣ୍ଡର ଯୋଗ୍ୟତା

ଦୁବାଇ, ୩୧।୧୦ (ଏଏଫ୍‌ପି)- ଓମାନ ଓ ସ୍କଟ୍‌ଲାଣ୍ଡ ଅନ୍ତିମ ଦୁଇ ଦଳ ଭାବେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୦ ଆଇସିସି ଟି୨୦ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଓମାନ ୧୨ ରନରେ ହଂକଂକୁ ଏବଂ ସ୍କଟ୍‌ଲାଣ୍ଡ ୯୦ ରନରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ହରାଇ ଏହି ସଫଳତା ପାଇଛନ୍ତି। ଓମାନ ଓ ସ୍କଟ୍‌ଲାଣ୍ଡ ପୂର୍ବରୁ ନାମ୍ବିଆ, ନେଦରଲାଣ୍ଡ୍ସ, ପପୁଆ ନ୍ୟୁ ଗିନି ଓ ଆୟର୍ଲାଣ୍ଡ ବିଶ୍ୱକପ୍‌ ଟିକେଟ୍‌ ହାସଲ କରିସାରିଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ।
ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ହଂକଂ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଓମାନ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୩୪ ରନ କରିଥିଲା। ଦଳ ପକ୍ଷରୁ ଓପନର୍‌ ଜିତେନ୍ଦ୍ର ସିଂ ୬୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଜବାବରେ ୧୮ ରନରେ ୫ ଉଇକେଟ୍‌ ହରାଇଥିବା ହଂକଂ ଉଇକେଟ୍‌କିପର ସ୍କଟ୍‌ ମ୍ୟାକେଚିନ (୪୪)ଙ୍କ ଉପଯୋଗୀ ବ୍ୟାଟିଂ ସତ୍ତ୍ୱେ ୯ ଉଇକେଟ୍‌ ହରାଇ ୧୨୨ ରନ କରିବାକୁ ସମର୍ଥ ହୋଇଥିଲା। ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ସ୍କଟ୍‌ଲାଣ୍ଡ ଓପନର୍‌ ଜର୍ଜ ମୁନ୍‌ସୀ ୬୫, ଅଧିନାୟକ କେଲୀ କୋଏଟଜର ୩୪, ରିଚି ବ୍ରିଙ୍ଗଟନ ୪୮ ରନ ବଳରେ ୬ ଉଇକେଟ୍‌ ହରାଇ ୧୯୮ ରନ କରିଥିଲା। ଜବାବରେ ୟୁଏଇ ୧୮.୩ ଓଭରରେ ୧୦୮ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Share