ସିଡ୍ନୀ, ୩।୬: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ ବୋଲି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ଡିନ୍ ଜୋନ୍ସ କହିଛନ୍ତି। ନ୍ୟୁଜିଲାଣ୍ଡରେ କୋଭିଡ୍-୧୯ ମହାମାରୀ ନିୟନ୍ତ୍ରଣକୁ ଆସିଛି ଓ କିଛିଦିନ ପରେ ସ୍ଥିତି ସ୍ବାଭାବିକ ହେବ ବୋଲି ସେ କହିଛନ୍ତି। ତେଣୁ ଏହି ମେଗା ଇଭେଣ୍ଟ ନ୍ୟୁଜିଲାଣ୍ଡକୁ ସ୍ଥାନାନ୍ତର ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଗତ ୧୨ ଦିନ ମଧ୍ୟରେ ନ୍ୟୁଜିଲାଣ୍ଡରେ କୌଣସି କରୋନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ ଓ ଏପର୍ଯ୍ୟନ୍ତ ଦେଶରେ ମାତ୍ର ଜଣେ କରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ନ୍ୟୁଜିଲାଣ୍ଡରେ ଟି୨୦ ବିଶ୍ୱକପ୍ ଆୟୋଜନ ହେବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
ଟି୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କୋଭିଡ୍-୧୯ ମହାମାରୀ ବିଶ୍ୱକପ୍କୁ ଅନିଶ୍ଚିତତା ଭିତରକୁ ଟାଣି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆସନ୍ତା ୧୦ ତାରିଖ ବୋର୍ଡ ବୈଠକରେ ଟି୨୦ ବିଶ୍ୱକପ୍ ନେଇ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆରେ ବିଶ୍ୱକପ ଆୟୋଜନ ଅସମ୍ଭବ ବୋଲି ଜୋନ୍ସ କହିଛନ୍ତି।