Categories: ଖେଳ

ଟି୨୦ ସିରିଜ ଖେଳିବେନି ଓ୍ବିଲିୟମସନ

ଓ୍ବେଲିଂଟନ୍‌, ୨୫ା୧୦ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଆଗାମି ଟି୨୦ ସିରିଜରେ ଖେଳିବେ ନାହିଁ। ହିପ୍‌ ଇଞ୍ଜୁରୀ ଯୋଗୁ ସେ ଏହି ନିଷ୍ପତ୍ତି ନେଇଥିବା ଟିମ୍‌ ଅଫିସିଆଲ ଶୁକ୍ରବାର ପ୍ରକାଶ କରିଛନ୍ତି। ଓ୍ବିଲିୟମସନଙ୍କ ଅନୁପସ୍ଥିତିରେ ଟିମ୍‌ ସୌଦି ଦଳର ଅଧିନାୟକତ୍ୱ କରିବେ। ହେଲେ ନଭେମ୍ବର ଶେଷ ଭାଗରେ ଭ୍ରମଣକାରୀ ଦଳ ବିପକ୍ଷରେ ଖେଳାଯିବାକୁଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଓ୍ବିଲିୟମସନ ଦଳକୁ ଫେରିବେ। ମାର୍ଚ୍ଚରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜବେଳେ କେନ୍‌ ଏହି ଇଞ୍ଜୁରିର ସମ୍ମୁଖୀନ ହୋଇଥିଲେ ବୋଲି କୋଚ୍‌ ଗ୍ୟାରି ଷ୍ଟେଡ୍‌ ସୂଚନା ଦେଇଛନ୍ତି। ସୌଭାଗ୍ୟ ବଶତଃ ଆମ ନିକଟରେ ସୌଦିଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି, ଯିଏକି ଅଧିନାୟକ ଦାୟିତ୍ୱ ସମ୍ଭାଳିପାରିବେ ବୋଲି ସେ କହିଛନ୍ତି। ଫାଷ୍ଟ ବୋଲର ଲୋକି ଫର୍ଗୁସନ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ତିନୋଟିରେ ଖେଳିବେ। ତାଙ୍କ ସ୍ଥାନରେ ଅବଶିଷ୍ଟ ଦୁଇଟି ମ୍ୟାଚରେ ଟ୍ରେଣ୍ଟ ବୋଲ୍ଟ ଖେଳିବେ। ସିରିଜ ଶୁକ୍ରବାର ନଭେମ୍ବର ୧ରେ ଖ୍ରିଷ୍ଟଚର୍ଚ୍ଚରେ ଆରମ୍ଭ ହେବ। ଜୁଲାଇରେ ଲଡର୍‌ସରେ ବିଶ୍ୱକପ୍‌ ଫାଇନାଲ ପରେ ଦୁଇ ଦଳ ମଧ୍ୟରେ ଏହା ପ୍ରଥମ ଭେଟ ହେବ।
ନ୍ୟୁଜିଲାଣ୍ଡ ଦଳ: ଟିମ୍‌ ସୌଦି (ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ (ଗେମ୍‌ ୪ ଓ ଗେମ୍‌ ୫), କଲିନ ଡି’ ଗ୍ରାଣ୍ଡହୋମ୍‌, ଲୋକି ଫର୍ଗୁସନ (୧ରୁ ୩ ଗେମ୍‌ ପର୍ଯ୍ୟନ୍ତ), ମାର୍ଟିନ ଗୁପ୍‌ଟିଲ, ସ୍କଟ କୁଜେଲଜିନ୍‌, ଡେରିଲ୍‌ ମିଚେଲ, କଲିନ୍‌ ମୁନ୍‌ରୋ, ଜିମି ନିଶାମ, ମିଚେଲ ସାଣ୍ଟନର, ଟିମ୍‌ ସିଫର୍ଟ, ଈଶ୍‌ ସୋଧି, ରସ୍‌ ଟେଲର, ବ୍ଲେୟର ଟିକ୍‌ନର।

Share