Categories: ଜାତୀୟ

ଟି.ଏନ୍‌. ଶେଷାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୧ା୧୧(ପି.ଟି.): ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତିରୁନେଲାଇ ନାରାୟଣ ଆୟର ଶେଷାନ (ଟି.ଏନ୍‌. ଶେଷାନ)ଙ୍କ ରବିବାର ଚେନ୍ନାଇଠାରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ୧୦ମ ମୁଖ୍ୟ ନିର୍ବାଚନ କମିଶନର ଭାବେ ସେ ୧୯୯୦ ଡିସେମ୍ବର ୧୨ରୁ ୧୯୯୬ ଡିସେମ୍ବର ୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ପ୍ରଥମଥର ପାଇଁ ଭୋଟର ପରିଚୟପତ୍ର କାର୍ଯ୍ୟକାରୀ ହୋଇଥିଲା। ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜନେତାମାନଙ୍କ ପ୍ରବୃତ୍ତିରେ ପରିଣତ ହୋଇଥିଲା। ହେଲେ ଶେଷାନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ରାଜନେତାଙ୍କୁ ଆଇନ ମାନିବାକୁ ବାଧ୍ୟ କରିଥିଲା। ଜଣେ ରାଜ୍ୟପାଳ ତାଙ୍କ ପୁଅ ପାଇଁ ପ୍ରଚାର କରିବାରୁ ମଧ୍ୟପ୍ରଦେଶର ଏକ ଆସନରେ ନିର୍ବାଚନକୁ ସ୍ଥଗିତ କରିଥିଲେ ଶେଷାନ। ଫଳରେ ଉକ୍ତ ରାଜ୍ୟପାଳ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ୧୯୫୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍‌ ଅଫିସର ଶେଷାନ ନିର୍ବାଚନ କମିଶନ ହେବା ପୂର୍ବରୁ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୯୬ରେ ତାଙ୍କୁ ରମନ ମାଗାସେସେ ପୁରସ୍କାର ମିଳିଥିଲା।
କେରଳର ପାଲାକ୍କଡ ଜିଲା ତିରୁନେଲାଇରେ ୧୯୩୨ରେ ଜନ୍ମିତ ଶେଷାନ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ମାଡ୍ରାସ ଖ୍ରୀଷ୍ଟିଆନ୍‌ କଲେଜରେ ଡେମୋନ୍‌ଷ୍ଟ୍ରେଟର ଭାବେ ୩ ବର୍ଷ କାମ କରିଥିଲେ। ଏହି ସମୟରେ ସେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏଡ଼ଓ୍ବାର୍ଡ ଏସ୍‌. ମାସନ ଛାତ୍ରବୃତ୍ତିରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ି ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

Share