ଟୁଇଟରକୁ ଫେରିଲେ ଅନୁରାଗ

ମୁମ୍ବାଇ: କିଛିଦିନ ତଳେ ଟୁଇଟରରୁ ଦୂରେଇ ଯାଇଥିବା ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣିଥରେ ଟୁଇଟରରେ ଯୋଗ ଦେଇଛନ୍ତି। ଦେଶର ପରିସ୍ଥିତିକୁ ଦେଖି ସେ ପୁଣି ଟୁଇଟର ଆକାଉଣ୍ଟ ଖୋଲିଥିବା କହିଛନ୍ତି। ଗତ ଅଗଷ୍ଟରେ ଟୁଇଟରରେ ତାଙ୍କୁ ବହୁବାର ଟ୍ରୋଲ୍‌ କରାଯିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ମିଳିବାରୁ ଯେ ଏଥିରୁ ଓହରି ଯାଇଥିଲେ। ଏବେ କିନ୍ତୁ ସେ କିଛି କହିବା ଜରୁରୀ ଭାବି ପୁଣି ଟୁଇଟରକୁ ଫେରିଛନ୍ତି ବୋଲି କହିଛନ୍ତି। ଅନେକ ସମୟରେ ନିଜର ବେକାବୁ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଅନୁରାଗ ପୁଣିଥରେ କ’ଣ ଟୁଇଟ୍‌ କରୁଛନ୍ତି ତା’ ଉପରେ ଏବେ ସମସ୍ତଙ୍କ ନଜର। ଅବଶ୍ୟ ପ୍ରଥମ ଟୁଇଟ୍‌ରେ ସେ ଲେଖିଛନ୍ତି ଦେଶର ପରିସ୍ଥିତି ଯାହା ହୋଇଛି ଏହି ସମୟରେ ଚୁପ୍‌ ରହିବା ଆଦୌ ଠିକ୍‌ ନୁହେଁ। କାରଣ କଥା ବହୁତ ଆଗକୁ ଚାଲିଗଲାଣି। ଏହି ସରକାର ସ୍ପଷ୍ଟଭାବେ ଫାସିବାଦି ବୋଲି ସେ କହିଛନ୍ତି। ହେଲେ ଯେଉଁମାନେ ପରିବର୍ତ୍ତନ ଆଣିପାରିବେ ସେମାନଙ୍କ ନିରବତା ତାଙ୍କୁ ଆହୁରି ଖରାପ ଲାଗୁଛି ବୋଲି ସେ କହିଛନ୍ତି। ଆଲୋଚନା ହେଉଛି କି ବର୍ତ୍ତମାନ ଦେଶର ପରିସ୍ଥିତିକୁ ଦେଖି ନିଶ୍ଚିତ ଭାବେ ଅନୁରାଗ କିଛି ଖଟାମିଠା ଶବ୍ଦ ବ୍ୟବହାର କରିପରାନ୍ତି।

Share