ନୂଆଦିଲ୍ଲୀ,୨।୬: କଂଗ୍ରେସ ଦଳର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା ସ୍ପନ୍ଦନା ଏବେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଟୁଇଟର୍ରେ ଆଉ ଦେଖାଯାଉ ନାହାଁନ୍ତି। ତାଙ୍କର ଟୁଇଟର୍ ଆକାଉଣ୍ଟ ଡିଲିଟ୍ ହୋଇ ଯାଇଥିବା କୁହାଯାଉଛି। କିଛିଦିନ ହେବ ସେ ଦିବ୍ୟା କଂଗ୍ରେସ ଛାଡିବା ନେଇ ଆଲୋଚନା ହେଉଥିବା ବେଳେ ଏବେ ଟୁଇଟରରୁ ଦିବ୍ୟା ହଟିଯିବା ଏହି ଆଲୋଚନାକୁ ଆହୁରି ବଢାଇ ଦେଇଛି। କାରଣ ନିକଟରେ ଭାଜପା ସରକାରରେ ନିର୍ମଳା ସିଥାରମଣଙ୍କୁ ଅର୍ଥ ବିଭାଗ ମିଳିଥିବାରୁ ଦିବ୍ୟା ତାଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଏହାପରେ କୁହାଯାଉଥିଲା କି ଦିବ୍ୟା କଂଗ୍ରେସ ଛାଡି ଦେଇପାରନ୍ତି। ହେଲେ କଂଗ୍ରେସ ତରଫରୁ କି ଦିବ୍ୟାଙ୍କ ତରଫରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।