ଟୁଇଟର ଉପରେ ଟ୍ରମ୍ପ୍‌ କ୍ଷୁବ୍ଧ

ଓ୍ବାଶିଂଟନ,୨୮ା୫(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦୁଇଟି ପୋଷ୍ଟ ଉପରେ ଟୁଇଟର ପ୍ରଥମ ଥର ଲାଗି ଫ୍ୟାକ୍ଟ ଚେକ୍‌ ଅଭିଯୋଗ ଲଗାଇଛି। ଉକ୍ତ ପୋଷ୍ଟର ତଥ୍ୟ ଯାଞ୍ଚ ପାଇଁ ଟୁଇଟର କହିବା ପରେ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇଛନ୍ତି। ନଭେମ୍ବର ମାସରେ ଥିବା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବା ଲାଗି ଟୁଇଟର୍‌ ଉଦ୍ୟମ କରୁଛି ବୋଲି ଟ୍ରମ୍ପ୍‌ ଅଭିଯୋଗ ଆଣିଛନ୍ତି। ମଙ୍ଗଳବାର ଟ୍ରମ୍ପ୍‌ କରିଥିବା ଦୁଇଟି ଟୁଇଟ୍‌ରେ ପୋଷ୍ଟାଲ ବାଲଟ ଯୋଗୁ ନିର୍ବାଚନରେ ଜାଲିଆତି ବଢ଼ିବ ବୋଲି ଭୁଲ୍‌ ଦାବି କରିଥିଲେ। ମେଲ୍‌ ବକ୍ସ ଚୋରି, ବାଲଟରେ ଜାଲିଆତି ଆଦି ଅଭିଯୋଗ ଆଣିଥିଲେ ଟ୍ରମ୍ପ୍‌। ଟୁଇଟର ବିଜ୍ଞପ୍ତିରେ ଏହି ଟୁଇଟ୍‌ ତଳେ ନୀଳ ରଙ୍ଗର ବିସ୍ମୟ ଚିହ୍ନ ରହିଥିଲା। ମେଲ୍‌-ଇନ୍‌ ବାଲଟର ତଥ୍ୟ ଯାଞ୍ଚ ହେବା ଆବଶ୍ୟକ ବୋଲି ଏହା ପାଠକମାନଙ୍କୁ ପ୍ରସ୍ତାବ ଦେଇଥିଲା।

Share