ଟୁଇଟ୍‌ ପରେ କନଷ୍ଟେବଳ ନିଲମ୍ବନ ଘଟଣା: ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ରୁଜୁ ହେଲା ମାମଲା

ଭଦ୍ରକ ଅଫିସ, ୧।୬-ଭଦ୍ରକ ଜିଲା ବନ୍ତ ଥାନାଧିକାରିଣୀଙ୍କ ଉପସ୍ଥିତିରେ ଲକ୍‌ଡାଉନ ସମୟରେ ଜଣେ ଯୁବକ ମାସ୍କ ପିନ୍ଧି ନ ଥିବା କାରଣରୁ ବନ୍ତ ଥାନା ନିକଟରେ ରାସ୍ତା ଉପରେ ୬ଜଣ ପୋଲିସ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିରେ ପିଟିଥିଲେ। ଏହି ଭିଡିଓ କିଛିଦିନ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସ୍ଥାନୀୟ ଜଣେ ସାମାଜିକ କର୍ମୀ ଘଟଣା ସମ୍ପର୍କରେ ଟୁଇଟର୍‌ ଯୋଗେ ଏସ୍‌ପି, ଡିଆଇଜି, ମୋ ସରକାର ଓ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଗତ ୨୫ ତାରିଖରେ ଏସ୍‌ପି ରାଜେଶ ପଣ୍ଡିତ ତରବରିଆ ଭାବେ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରିଥିଲେ। ଏହି ଘଟଣାରେ ସାମାଜିକ କର୍ମୀ କେନ୍ଦୁଝର ଜିଲା ଶାଳଣିଆର ହିମାଂଶୁ ଶେଖର ନାୟକ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ସେ ଏକ ଅଭିଯୋଗ ଦାଏର କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତି କରି ମାମଲା(ନଂ.୬୯୯୫/ଆଇଏମ୍‌/୨୦୨୦) ରୁଜୁ ହୋଇଛି। ସେ ଅଭିଯୋଗରେ ମାଡ଼ ଖାଇଥିବା ଯୁବକଙ୍କୁ ପୋଲିସ ମହାନିର୍ଦ୍ଦେଶକ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ଦରମାରୁ କାଟି ୩ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ଓ ୩ ସପ୍ତାହ ମଧ୍ୟରେ ନ୍ୟାୟିକ ତଦନ୍ତ କରି ପଦକ୍ଷେପ ନିଅନ୍ତୁ ବୋଲି ସେ ଆୟୋଗଙ୍କ ନିକଟରେ ଯୁକ୍ତି ବାଢ଼ିଛନ୍ତି।
ସୂଚନାଥାଉ କି ଯୁବକ ଜଣକ ମାସ୍କ ପିନ୍ଧି ନ ଥିବା କାରଣରୁ ତାଙ୍କୁ ମାଡ଼ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ସେଠାରେ କାର୍ଯ୍ୟରତ ମହିଳା କନଷ୍ଟେବଳଙ୍କୁ ସମ୍ପୃକ୍ତ ଯୁବକ ଦୁର୍ବ୍ୟବହାର କରିଥିବା ନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ଏସ୍‌ପି ଟୁଇଟର୍‌ ଯୋଗେ ସୂଚନା ଦେଇଛନ୍ତି।