ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲର ନିଲମ୍ବିତ

ଭଦ୍ରକ ଅଫିସ, ୭।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅଧୀନ ଅନହରପୁର ଗ୍ରାମର ହିତାଧିକାରୀ ପାଞ୍ଚାଳୀ ଜେନାଙ୍କୁ ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣାରେ ରିଟେଲର ଶ୍ରୀଧର ସାହୁଙ୍କୁ ନିଲମ୍ବନ କରାଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ ପୀତାମ୍ବର ସାମଲ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ପୂର୍ବରୁ ଏହି ଘଟଣାରେ ରିଟେଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଗତ ୪ ତାରିଖରେ ରିଟେଲର ସାହୁ ବ୍ୟକ୍ତିଗତ ଭାବେ ଜିଲାପାଳଙ୍କ ନିକଟରେ ହାଜର ହୋଇଥିଲେ। କିନ୍ତୁ ତାଙ୍କ ଯୁକ୍ତି ଉପଯୁକ୍ତ ନ ଥିବାରୁ ଜିଲାପାଳ ତାଙ୍କୁ ନିଲମ୍ବନ କରିବା ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ସାମଲ ୫ ତାରିଖ ସନ୍ଧ୍ୟାରେ ରିଟେଲର ସାହୁଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଥାଉ କି, ଅନହରପୁର ଗ୍ରାମର ପାଞ୍ଚାଳୀଙ୍କୁ ଗତ ୯ ମାସ ଧରି ରାଶନ ମିଳୁ ନ ଥିବା ନେଇ ପାଖ ଗଁାର ସନ୍ତୋଷ ମହାପାତ୍ର ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ଜିଲାପାଳଙ୍କୁ ଜଣାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ଅଧିକାରୀ ଓ ବିଡିଓ ଘଟଣାର ତଦନ୍ତ କରିଥିଲେ। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି ସମ୍ପୃକ୍ତ ରିଟେଲର ତରବରିଆ ଭାବେ ପାଞ୍ଚାଳୀଙ୍କୁ ଡାକି ୯ ମାସର ଚାଉଳ ଏକକାଳୀନ ଦେଇ ହରଡ଼ଘଣାରେ ପଡ଼ିଥିଲେ। ଏକକାଳୀନ ୯ ମାସର ଚାଉଳ କାହିଁକି ଓ କିପରି ଦେଲେ ତାହାର ତଦନ୍ତ କରିଥିଲା ପ୍ରଶାସନ। ଏପରିକି ୫ ଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୫ ଯୋଗାଣ ଅଧିକାରୀ ଉକ୍ତ ପଞ୍ଚାୟତର ବିଭିନ୍ନ ଗଁାକୁ ଯାଇ ହିତାଧିକାରୀଙ୍କ ରାଶନ କାର୍ଡ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ପାଞ୍ଚାଳୀଙ୍କ ଭଳି ଅନ୍ୟ ଜଣେ ହିତାଧିକାରୀ କାର୍ଡ ଥାଇ ମଧ୍ୟ ରାଶନରୁ ବଞ୍ଚତ୍ତ ହେଉଥିବା ନଜରକୁ ଆସିଥିଲା। ଏହି ରିପୋର୍ଟ ଅନୁଯାୟୀ ଜିଲାପାଳ ରିଟେଲର ସାହୁଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Share